କନକ ବ୍ୟୁରୋ: ବିଧାୟକମାନଙ୍କ ରହିବା ପାଇଁ ପୁରୁଣା କ୍ବାର୍ଟରକୁ ଭାଙ୍ଗି ନୂଆ ଘର ତିଆରି ଚାଲିଛି। କିନ୍ତୁ ବିବାଦରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି ଘର ତିଆରି କାମ ଯେମିତି ଚାଲିଛି ତାହା ସରିବାକୁ ଆହୁରି ବର୍ଷ ବର୍ଷ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ବିଧାୟକଙ୍କ ପାଇଁ ଘର ତିଆରିରେ ଏତେ ବିଳମ୍ବକୁ ନେଇ ଉଠିଛି ପ୍ରଶ୍ନ।

Advertisment
  • ବିଧାୟକଙ୍କ ସରକାରୀ କ୍ବାର୍ଟର ନିର୍ମାଣରେ କେଁ
  • ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ
  • ଘର ପାଉ ନାହାନ୍ତି ନୂଆ ବିଧାୟକ

ଲକ୍ଷ୍ୟ ଥିଲା ଅଢ଼େଇ ବର୍ଷରେ ବିଧାୟକଙ୍କ ପାଇଁ ନିର୍ମାଣ ଚାଲିଥିବା ସରକାରୀ କ୍ବାର୍ଟରର ନିର୍ମାଣ ଶେଷ ହେବ। ବିଧାୟକମାନେ ନୂଆ ଘରେ ରହିବେ। ସେଠାରୁ ନିଜର କାର୍ଯ୍ୟ ପରିଚାଳନା କରିବେ। କିନ୍ତୁ ବିଡମ୍ବନାର ବିଷୟ ଏହା ଭିତରେ ଧାର୍ଯ୍ୟ ଅବଧି ଶେଷ ହେବାକୁ ବସିଥିଲେ ବି ଘର ନିର୍ମାଣ କେବଳ ନିଅଁ ପଡିବାରେ ଅଟକି ରହିଛି। ପ୍ରାଥମିକ ପର୍ଯ୍ୟାୟରେ କିଛି ପିଲାର ଉଠୁଛି। ଅନ୍ୟପଟେ ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ବିଧାୟକମାନେ ଘର ନପାଇ ଏଣେ ତେଣେ ରହିବାକୁ ବାଧ୍ୟ ହେଉଛନ୍ତି। ଘର ନିର୍ମାଣରେ ମନ୍ଥରତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି। 

ଘର ନିର୍ମାଣ ଆରମ୍ଭ ହେବାଠାରୁ ଏହା ଭିତରେ ତିନି ଜଣ ବାଚସ୍ପତି ଗଲେଣି। ବାଚସ୍ପତି ଭାବେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ହେଲେ, ଘର ନିର୍ମାଣ କାର୍ଯ୍ୟ ଆଗେଇ ପାରିନି। ସୁରମା ପାଢ଼ୀ ନୂଆ ବାଚସ୍ପତି ହେବା ପରେ ଦୁଇ ଥର ରିଭ୍ୟୁ କଲେଣି ତଥାପି କାମ ସନ୍ତୋଷଜନକ ଭାବେ ହେଉନାହିଁ। କ୍ବାର୍ଟର ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ ଝାଡିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ତେବେ ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ ବୋଲି କୁହାଯାଇଛି।

ବିଜେଡି ସରକାର ସମୟରେ ୨୦୨୨ରେ ଏହି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦଶ ମହଲା ବିଶିଷ୍ଟ ଏହି ବହୁତଳ ପ୍ରାସାଦ ପାଇଁ ୫୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଯେଉଁଠି ମାର୍କେଟ କମ୍ପ୍ଲେକ୍ସ, ହେଲଥ ସେଣ୍ଟର, ସୁଇମିଂପୁଲ ସମେତ ୩୦୦ କ୍ବାର୍ଟର ତିଆରି ହେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ନିର୍ମାଣ ଦାୟିତ୍ବ ନେଇଥିବା ଠିକା ସଂସ୍ଥା ଓ ପଛରେ ଥିବା କାର୍ପଟଦାରଙ୍କ ଯୋଗୁଁ ଏହି ନିର୍ମାଣ ବିଳମ୍ବ ହେଉଥିବା କୁହାଯାଉଛି।