କନକ ବ୍ୟୁରୋ : ପୁରୀ ଜିଲ୍ଲା ଡେଲାଙ୍ଗ ଧୋଜା ମୁଣ୍ଡିଆ ପାହାଡ଼ ଓ ଆଖପାଖ ଅଞ୍ଚଳକୁ ଖୋଳି ଖୋଳ କରିସାରିଲେଣି ମାଫିଆ । ୧୬୩ ଧାରା ଜାରି ସତ୍ତ୍ବେ ରାତିଅଧରେ ବେଆଇନ ଭାବେ ପଥର ଓ ମୋରମ ଚାଲଣ କରାଯାଉଛି । ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଖଣି ବିଭାଗ ଚୁପ୍ ବସିଥିବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଦୂରରୁ ଠିକ୍ ଦିଶୁଥିବା ପାହାଡ଼କୁ ଭିତରୁ ଫମ୍ପା କରିଦେଲେଣି ମାଫିଆ । ଡେଲାଙ୍ଗ ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ଧୋଜା ମୁଣ୍ଡିଆ ପାହାଡ଼ ଭୁଶୁଡ଼ିବା ସ୍ଥିତି ସୃଷ୍ଟି ହେଲାଣି । ପାହାଡ଼ରୁ ରାତିଅଧରେ ମାଫିଆ ପଥର ଚାଲାଣ କରୁଛନ୍ତି । ୩ ମାସ ତଳେ ପ୍ରଶାସନ ଲୋକ ଦେଖାଣିଆ ଚଢ଼ାଉ କରି ୩ଟି ମୋରମ ବୋଝେଇ ହାଇୱା ଓ ଜେସିବି ମେସିନ ଜବତ କରିଥିଲା । ତା’ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକ ଅଭିଯୋଗ କରିଛନ୍ତି ।
କାର୍ଯ୍ୟାନୁଷ୍ଠାନ ଅଭାବରୁ ମାଫିଆମାନେ କାହାକୁ ଡରୁ ନାହାନ୍ତି । ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତର କୁଆପଦା ଓ ସାଉରିଆ ମୌଜାର ସରକାରୀ ଜମିଗୁଡ଼ିକୁ ମାଫିଆ ନିଜ ଅକ୍ତିଆରକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରୁ ମାଫିଆମାନେ ବେଆଇନ ଭାବେ ଟ୍ରକ୍ ଟ୍ରକ୍ ମୋରମ ଓ ପଥର ଚୋରା ଚାଲଣ କରୁଛନ୍ତି । ମାଫିଆମାନେ ପୁଲିସକୁ ମୋଟା ଅଙ୍କର ଅର୍ଥ ଦେଇ ଚୋରା ପଥର ଓ ମୋରମ ବୋଝେଇ ହାଇୱାଗୁଡ଼ିକୁ ପାର୍ କରାଉଥିବା ଅଭିଯୋଗ ହେଉଛି ।
ଗତ ଫେବ୍ରୁଆରୀ ୨୫ ତାରିଖରେ ୧ ମାସ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରିବା ସହ ଡେଲାଙ୍ଗ ଥାନା ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ଡେଲାଙ୍ଗରେ ମାଫିଆ ସକ୍ରିୟ ଥିବାରୁ ସାଧାରଣରେ ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି ହୋଇଛି ।