କନକ ବ୍ୟୁରୋ : ସରକାର ଲୋକଙ୍କ ଘରେ ବିଶୁଦ୍ଧ ପାଣି ପହଞ୍ଚାଇବାକୁ ଅନେକ ଯୋଜନା କରୁଛନ୍ତି । ହେଲେ ଯୋଜନାର କାର୍ଯ୍ୟକାରିତା ଏକ ପ୍ରଶ୍ନ ହୋଇ ରହିଯାଇଛି । ପାଣି ପାଇଁ କିଏ କୁମ୍ଭୀର ଭରା ନଦୀ ପାର ହେଲାଣି ତ ଆଉ କିଏ ମୁନ୍ଦାଏ ଜଳ ପାଇଁ ଚାଲୁଛି ମାଇଲ ମାଇଲ ବାଟ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକରେ ଏପରି ଜଳ ଯନ୍ତ୍ରଣାର ଶିକାର ହୋଇଛନ୍ତି ନଦୀନାଳ ଘେରା ବତୀଘର ପଞ୍ଚାୟତବାସୀ ।
କୁମ୍ଭୀର ଭର୍ତ୍ତି ନଦୀରେ ସୋଲ ଭେଳା ଭରସା । ଭେଳାରେ ଗରା ଥୋଇ ରଶି ସାହାଯ୍ୟରେ ନଈ ପାରି ହେଉଛନ୍ତି ମହିଳା । କାରଣ ସେପଟକୁ ଗଲେ ମେଣ୍ଟିବ ଶୋଷ । ପିଲାଛୁଆ ପିଇବା ପାଇଁ ମିଳିବ ବିଶୁଦ୍ଧ ପାଣି । ନହେଲେ ଲୁଣା ଆଉ ଦୂଷିତ ପାଣି ପିଇବାକୁ ପଡ଼ିବ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ବଡ଼ଟୁବି ଗାଁରୁ ଆସିଥିବା ଦୃଶ୍ୟ ସରକାରୀ ଯୋଜନାର ବାସ୍ତବତାକୁ ବଖାଣୁଛି । ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା କେତେ ସଚଳ ତାହା ଦର୍ଶାଉଛି ।
ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତରେ ଉତ୍କଟ ପାନୀୟଜଳ ସମସ୍ୟା । ବିଭିନ୍ନ ଗାଁରେ ଥିବା ୩୦ରୁ ଅଧିକ ସୌର ଚାଳିତ ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଯାହା ସଚଳ, ସେଥିରୁ ବାହାରୁଛି ଲୁଣି ପାଣି। ତେଣେ ଅଧା ନଳକୂପରୁ ବାହାରୁନି ପାଣି । କୋଚିଳାବେଲରୀ ଗାଁରେ ଥିବା ଓଭରହେଡ୍ ଟାଙ୍କି ସଫା ନହେବାରୁ ସେଥିରୁ ଆସୁଥିବା ପାଣିରୁ ପୋକ ବାହାରୁଛି ! ତେଣୁ ପାଣି ପାଇଁ ଗରା ବାଲଟି ଧରି ୨ କିମି ଚାଲୁଛନ୍ତି ଗ୍ରାମବାସୀ । ତଥାପି ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି ।
ଖରା, ବର୍ଷା, ଶୀତ ସବୁ ସମୟରେ ବତୀଘର ପଞ୍ଚାୟତବାସୀ ଜଳ ଯନ୍ତ୍ରଣା ଭୋଗୁଛନ୍ତି । ତେଣୁ ତୁରନ୍ତ ଅଚଳ ପ୍ରକଳ୍ପର ମରାମତି ଦାବି ହୋଇଛି ।