କନକ ବ୍ୟୁରୋ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ୭୦ତମ ବନ୍ୟପ୍ରାଣୀ ସପ୍ତାହ । ସହରୀ ଜୀବନଶୈଳୀ ଓ ଆଧୁନିକିକରଣ ପାଇଁ ପ୍ରକୃତି ନଷ୍ଟ ହେବାର ଲାଗିଛି । ମଣିଷ ଓ ପଶୁ ଲଢ଼େଇରେ କେବେ ମଣିଷ ହାରୁଛି ପୁଣି କେବେ ପଶୁର ଜୀବନ ଯାଉଛି । ଏଣୁ କିପରି ମଣିଷ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ସମତା ରକ୍ଷା ହୋଇପାରିବ, ସେଥିପାଇଁ ବଲାଙ୍ଗୀର ବନ ବିଭାଗ ତରଫରୁ ଏହି ସପ୍ତାହ ପାଳନ କରାଯାଉଛି ।
ଜଙ୍ଗଲ କ୍ଷୟ ଯୋଗୁଁ ରହିବାକୁ କି ଖାଇବାକୁ ପାଉନାହାଁନ୍ତି ବନ୍ୟଜନ୍ତୁ । ତେଣୁ ଅନେକ ସମୟରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ବଲାଙ୍ଗିର ଜିଲ୍ଲାର ଅନେକ ଅଞ୍ଚଳ ଜଙ୍ଗଲ ପାହଡରେ ପରିପୂର୍ଣ୍ଣ । ଲୋଇସିଂହା, ଦେଓଗାଁ ଅଞ୍ଚଳ ଦିନେ ହାତୀଙ୍କ ଚଲାପଥ ଥିଲା । ଏଇ କିଛି ବର୍ଷ ହେବ ଏଠାରେ ହାତୀ ରହୁଛନ୍ତି । ଚାଷବାସ ନଷ୍ଟ କରୁଥିବା ଅଭିଯୋଗ ଆସିଥାଏ । ଏବେ ସମୟ ଆସିଛି, ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାର । ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଅକ୍ଟୋବର ୨ରୁ ୮ତାରିଖ ବନ୍ୟପ୍ରଣୀ ସପ୍ତାହ ପାଳନ କରାଯାଉଛି ।
ବନ୍ୟପ୍ରାଣୀ ସପ୍ତାହରେ ସ୍କୁଲ ପିଲାଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଯେଉଁମାନେ ପ୍ରକୃତି ଓ ବନ୍ୟଜନ୍ତୁ ପାଇଁ କାମ କରୁଛନ୍ତି ସେମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଛି । ମଣିଷ ଓ ଜୀବଜନ୍ତୁ ପରସ୍ପର ପରିପୂରକ । ଏମାନଙ୍କ ମଧ୍ୟରେ ସନ୍ତୁଳନ ନଷ୍ଟ ହେଲେ ପ୍ରକୃତି ବି ନଷ୍ଟ ହୋଇଯିବ । ତେଣୁ ଏଭଳି ଏକ କାର୍ୟ୍ୟକ୍ରମର ଆୟୋଜନ ବେଶ ପ୍ରଶଂସନୀୟ ।