କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭୁଜ ଏୟାରବେସ୍ରେ ପହଞ୍ଚିଥିଲେ । ଗତକାଲି ଜମ୍ମୁକାଶ୍ମୀରରେ ସେନାଙ୍କୁ ଭେଟି ସେନାର ପ୍ରଶଂସା କରିଥିବା ବେଳେ ଆଜି ଭୁଜ ଏୟାରବେସ୍ରେ ପହଞ୍ଚି ସେ ସେନା ଯବାନଙ୍କୁ ଭେଟିଛନ୍ତି । ଯବାନଙ୍କୁ ଭେଟିବା ସହ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ଅପରେସନ୍ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସମୟ ଆସିଲେ ସେ ପୂରା ପିକ୍ଚର୍ ରିଲିଜ୍ କରିବେ, ଏହା କହି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେବା ସହ ଭାରତୀୟ ବାୟୁସେନାର ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭୁଜରେ କହିଛନ୍ତି, " ଆମର ବାୟୁସେନା ପାକିସ୍ତାନର ପ୍ରତ୍ୟେକ କୋଣରେ ପ୍ରବେଶ କରିପାରିବାର କ୍ଷମତା ରଖେ । ଏହା କୌଣସି ବଡ଼ କଥା ନୁହେଁ, ଆଉ ଏହା ଏବେ ପ୍ରମାଣିତ ମଧ୍ୟ ହୋଇସାରିଛି । ଆଜି ଭାରତୀୟ ସେନାର କ୍ଷମତା ଏତେ ବଢିଯାଇଛି ଯେ, ଭାରତ ଚାହିଲେ ଯୁଦ୍ଧ ବିମାନଗୁଡ଼ିକ ସୀମା ପାର ନକରି ଏଇଠୁ ରହି ଶତ୍ରୁ ଦେଶର ପ୍ରତ୍ୟେକ କୋଣକୁ ଆକ୍ରମଣ କରିପାରିବେ । ସମଗ୍ର ବିଶ୍ୱ ଦେଖିଛି ପାକିସ୍ତାନ ମାଟିରେ ନପଶି କିପରି ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଛି ଏବଂ ସେମାନଙ୍କର ଅନେକ ବାୟୁସେନା ଘାଟିକୁ କିପରି ଧ୍ୱଂସ କରାଯାଇଛି ।"
ଦିନରେ ତାରା ଦେଖିଲା ପାକିସ୍ତାନ
ରାଜନାଥ ସିଂହ DRDOର ପ୍ରଶଂସା କରିଛନ୍ତି । ସେ କହିଥିଲେ, "ବ୍ରହ୍ମୋସ୍ର ଶକ୍ତି କେତେ ତାହା ପାକିସ୍ତାନ ଦେଖିସାରିଛି ଆଉ ଏହା ସ୍ୱୀକାର ବି କରିସାରିଛି । ଆମ ଦେଶରେ ଏକ ପୁରୁଣା କଥା ଅଛି - ଦିନରେ ତାରା ଦେଖାଇବା । ଭାରତ ନିର୍ମିତ ବ୍ରହ୍ମୋସ୍ ମିସାଇଲ୍ ରାତିର ଅନ୍ଧାରରେ ପାକିସ୍ତାନକୁ ଦିନର ଆଲୋକ ଦେଖାଇଛି । ଦିନରେ ତାରା ଦେଖାଇଦେଇଛି । ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସବୁଠି ପ୍ରଶଂସା କରାଯାଉଛି, ଏବଂ DRDO ଦ୍ୱାରା ନିର୍ମିତ 'ଆକାଶ' ଓ ଅନ୍ୟାନ୍ୟ ରାଡାର ପ୍ରଣାଳୀ ଏହି ଯୁଦ୍ଧରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ।"