କନକ ବ୍ୟୁରୋ: ଋଷିଆ ଓ ଉତ୍ତର କୋରିଆ ମଧ୍ୟରେ ବୃଦ୍ଧି ପାଉଛି ସାମରିକ ସହଭାଗିତା । ଯାହାକୁ ନେଇ ଆମେରିକା ଚିନ୍ତାରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି । ଏକ ଅନ୍ତର୍ଜାତୀୟ ରିପୋର୍ଟ ମୁତାବକ ଉତ୍ତର କୋରିଆକୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ, ଇଲେକ୍ଟ୍ରୋନିକ୍ସ ଜାମର ଓ ସୈନ୍ୟ ସହାୟତା ଯୋଗାଇ ଦେଉଛି ଋଷିଆ । ଉତ୍ତର କୋରିଆ ଉପରେ ଆମେରିକା ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ବେଳେ ଏହାକୁ ଖାତିର କରିନାହାନ୍ତି ଭ୍ଲାଦିମିର ପୁଟିନ୍ । MSMT ରିପୋର୍ଟ ମୁତାବକ ଗତ ୨୦୨୪ ନଭେମ୍ବର ମାସରୁ ହିଁ ଋଷିଆ ଉତ୍ତର କୋରିଆକୁ ପ୍ୟାଣ୍ଟର ମୋବାଇଲ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି । ପ୍ୟାଣ୍ଟର ଏୟାର ଡିଫେନ୍ସ ସିଷ୍ଟମ ଭୂ-ପୃଷ୍ଠରୁ ଶତ୍ରୁର ଡ୍ରୋନ୍ ଓ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦେବାର କ୍ଷମତା ରହିଛି ।
ପ୍ୟାଣ୍ଟର ଡିଫେନ୍ସ ସିଷ୍ଟମ ମିସାଇଲର ଗତି ବ୍ରହ୍ମୋସ ମିସାଇଲଠାରୁ ଅଧିକ । ତେବେ ବ୍ରହ୍ମୋସ ମିସାଇଲ ସହ ପ୍ୟାଣ୍ଟର ସିଷ୍ଟମର ମିସାଇଲର ତୁଳନା ହୋଇପାରିବ ନାହିଁ । କାରଣ ପ୍ୟାଣ୍ଟର ଏୟାର ଡିଫେନ୍ସ ସିଷ୍ଟମରେ ସର୍ଟ ରେଞ୍ଜ୍ ମିସାଇଲ୍ ହୋଇଥିବା ବେଳେ ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ୍ ମିସାଇଲ । ବ୍ରହ୍ମୋସ ୬୫୦ କିମି ପର୍ଯ୍ୟନ୍ତ ଟାର୍ଗେଟ୍ ଲକ୍ କରିପାରେ । ପ୍ୟାଣ୍ଟର ମାତ୍ର ୧.୨ କିମିରୁ ୨୦ କିମି ରେଞ୍ଜ୍ରେ ଆସୁଥିବା ମିସାଇଲକୁ ଇଣ୍ଟରସେପ୍ଟ କରିପାରିବ । କିନ୍ତୁ ପ୍ୟାଣ୍ଟର ମିସାଇଲର ଗତି ବ୍ରହ୍ମୋସ ମିସାଇଲଠାରୁ ଢେର୍ ଅଧିକ ।
MSMT ରିପୋର୍ଟ ମୁତାବକ ୨୦୨୩ରେ ଉତ୍ତର କୋରିଆ ଋଷ୍କୁ ମାତ୍ରାଧିକ ହତିଆର ପଠାଇଥିଲା । ସେହି ବର୍ଷ ଋଷିଆକୁ ପ୍ରାୟ ୨୦ ହଜାର କଣ୍ଟେନରରେ ହତିଆର ପଠାଯାଇଥିବା ନେଇ ରିପୋର୍ଟରେ ଦାବି କରାଯାଇଛି । ଏଥିରେ ୯ ମିଲିୟନରୁ ଅଧିକ ଆର୍ଟିଲାରି ରାଉଣ୍ଡ୍, ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ହତିଆର ଓ ମିସାଇଲ ସାମିଲ ରହିଥିଲା । ତା' ସହିତ ହଜାର ହଜାର ସୈନ୍ୟ ମଧ୍ୟ ଋଷ୍କୁ ପଠାଇଥିଲା ଉତ୍ତର କୋରିଆ । ପ୍ରତି ବଦଳରେ ଋଷ୍ ଉତ୍ତର କୋରିଆକୁ ଅତ୍ୟାଧୁନିକ ମିସାଇଲ୍ ଟେକ୍ନିକ୍ ପ୍ରଦାନ କରିଥିଲା । ତେବେ ଏହା ଜାତିସଂଘ ସୁରକ୍ଷା ପରିଷଦର ଖୋଲା ଉଲ୍ଲଙ୍ଘନ । ଯେଉଁ ପ୍ରସ୍ତାବରେ ଖୋଦ୍ ପୁଟିନ୍ ମଧ୍ୟ ହସ୍ତାକ୍ଷର କରିଥିଲେ ।
ଜର୍ଜିଆର ବିବାଦୀୟ ଅଞ୍ଚଳ ଦକ୍ଷିଣ ଓସେସିଆ ଜରିଆରେ ଉତ୍ତର କୋରିଆ ଓ ଋଷିଆ ମଧ୍ୟରେ ହତିଆର ଲେଣଦେଣ ଚାଲିଛି । ଏହା ଆମେରିକା ସହ ସାରା ବିଶ୍ୱ ପାଇଁ ଚିନ୍ତାଜନକ ହୋଇପାରେ । କାରଣ ଉତ୍ତର କୋରିଆରେ ଗଣତନ୍ତ୍ର ବୋଲି କିଛି ନାହିଁ । ଅତ୍ୟାଧୁନିକ ହତିଆର ଦ୍ୱାରା ସାମରିକ କ୍ଷେତ୍ରରେ ବଳଶାଳି ହୋଇଛି ଉତ୍ତର କୋରିଆ । ଆମେରିକା ଓ ଉତ୍ତର କୋରିଆ ସମ୍ପର୍କ କାହାକୁ ଲୁଚାଛପା ନାହିଁ । ଏଥିପାଇଁ ଏବେ ଚିନ୍ତା କରିବାର ଆବଶ୍ୟକତା ରହିଛି ।