କନକ ବ୍ୟୁରୋ : ଖୋଲୁଛି ଅଭିଯୁକ୍ତ ଦୀପକ ରାଉତ ଅପରାଧର ସତ। ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଅପର୍ଣ୍ଣାଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ସନ୍ଦେହଘେରକୁ ଆସିଛି । ୨୦୧୮ ଏପ୍ରିଲ ୨୫ ତାରିଖରେ ଢେଙ୍କାନାଳ ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଅପର୍ଣ୍ଣା ଜଣେ ଆରଆଇ ଥିଲେ । ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଦୀପକ ଓ ତାଙ୍କ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଏକ କାରରେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିଲେ । ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଅପର୍ଣ୍ଣାଙ୍କୁ ପରିସ୍ରା ଲାଗିବାରୁ କାରରୁ ଓହ୍ଲାଇଥିଲେ। ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା ବୋଲି ଥାନାରେ ଅଭିଯୋଗ କରିଥିଲେ ଦୀପକ । ଅଭିଯୋଗ ଅନୁସାରେ ସେଠାରେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିବାପରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସର ତଦନ୍ତ ବେଳେ କୌଣସି ଟ୍ରକର ପତ୍ତା ପାଇନଥିଲା। ଶେଷରେ ଦୁର୍ଘଟଣା ଜନିତ ହତ୍ୟା କରି ମାମଲା ବନ୍ଦ କରିଦେଇଥିଲା ପୁଲିସ ।
ସେପଟେ ମହିଳା କନେଷ୍ଟବଳଙ୍କ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ଭାଇ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ହତ୍ୟାକାଣ୍ଡ ପଛର ଖିଅ କାଢ଼ିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୁଲିସ । ବୁଧବାର କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଛି । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନି ଜେରା କରିଛି । ପ୍ରଥମେ ଦୀପକ ଓ ପରେ ପପୁ ଏବଂ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି । ଜେରା ସମୟରେ ମୁଖ୍ୟ ଅଭିଯୁକ୍ତ ଦୀପକ ଭୋ ଭୋ ହୋଇ କାନ୍ଦିଥିବା ଜଣାପଡ଼ିଛି ।