କନକ ବ୍ୟୁରୋ : ଖୋଲୁଛି ଅଭିଯୁକ୍ତ ଦୀପକ ରାଉତ ଅପରାଧର ସତ। ମହିଳା କନେଷ୍ଟବଳଙ୍କ ଶୁଭମିତ୍ରା ସାହୁ ହତ୍ୟା ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅପର୍ଣ୍ଣାଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ସନ୍ଦେହଘେରକୁ ଆସିଛି । ୨୦୧୮ ଏପ୍ରିଲ ୨୫ ତାରିଖରେ ଢେଙ୍କାନାଳ ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଅପର୍ଣ୍ଣା ଜଣେ ଆରଆଇ ଥିଲେ। ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଦୀପକ ଓ ତାଙ୍କ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଏକ କାରରେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିଲେ। ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଅପର୍ଣ୍ଣାଙ୍କୁ ପରିସ୍ରା ଲାଗିବାରୁ କାରରୁ ଓହ୍ଲାଇଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା ବୋଲି ଥାନାରେ ଅଭିଯୋଗ କରିଥିଲେ ଦୀପକ। ଅଭିଯୋଗ ଅନୁସାରେ ସେଠାରେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିବାପରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସର ତଦନ୍ତ ବେଳେ କୌଣସି ଟ୍ରକ୍ର ପତ୍ତା ପାଇନଥିଲା। ଶେଷରେ ଦୁର୍ଘଟଣା ଜନିତ ହତ୍ୟା କରି ମାମଲା ବନ୍ଦ କରିଦେଇଥିଲା ପୋଲିସ।
ଏହି ଘଟଣାକୁ ନେଇ ଏବେ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ ଏବେ ପୁଣିଥରେ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଶୁଭସ୍ମିତାଙ୍କ ମୃତ୍ୟୁ ପରେ ଏହି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରିଛନ୍ତି ଅପର୍ଣ୍ଣାଙ୍କ ସମ୍ପର୍କୀୟ।