କନକ ବ୍ୟୁରୋ:   ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ  ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ରହିଛି ଗଭୀର ଅବପାତ । ଗଭୀର ଅବପାତ ଗତ ୬ ଘଣ୍ଟାରେ ପ୍ରାୟ ୨୨ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି । ଏହା ସାଗର ଦ୍ବୀପ ଏବଂ ବାଂଲାଦେଶ ଖେପୁପୁରା ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଯାହାର  ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି  ବର୍ଷା । ୨୪ ଘଣ୍ଟା ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ବଜ୍ରପାତ ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Advertisment

ଆସନ୍ତାକାଲି ସକାଳ ଯାଏ ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।  ଏହା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ହେବାର ସମ୍ଭାବନା ରହିଛି  I ସେହିପରି ୩୦ମେ’ରେ  ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମଧ୍ୟାହ୍ନ ଓ  ସନ୍ଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ଝଟକା ପବନର ବେଗ ଘଣ୍ଟାପ୍ରତି  ୪୦ ରୁ  ୫୦ କିଲୋମିଟର  ରହିପାରେ । ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । 


୨୮ ମେ’ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳକୁ ଛୁଇଁଥିବାବେଳେ ଆଜି ଭବାନୀପାଟଣା ଓ ପୁରୀକୁ ସ୍ପର୍ଶ କରିଛି । ସ୍ଥିତି ଅନୁକୂଳ ଥିବାରୁ ଏହା ଆଗକୁ ବଢ଼ୁଛି । ଆଗାମୀ ଦୁଇ ଦିନ ଭିତରେ ମୌସୁମୀ ସାରା ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।