କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ପାଟପୁର ଗାଁର ଶାନ୍ତିଲତା ଦାଶ । ଅଳ୍ପ ପାଠ ପଢ଼ିଥିବା ଶାନ୍ତିଲତା ବିବାହ ପରେ ଖୁସିରେ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ମାତ୍ର ବିବାହର ଅଳ୍ପଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଗଲା । ଏକୁଟିଆ ହୋଇଯାଇଥିବା ଶାନ୍ତିଲତା ଭାଙ୍ଗି ନପଡ଼ି କିଛି କରିବାକୁ ଉଦ୍ୟମ କରିଥିଲେ । ୨୦୦୧ ମସିହାରେ ଗାଁର କିଛି ମହିଳାଙ୍କୁ ନେଇ ଆରମ୍ଭ କରିଥଲେ ମା’ ସିଦ୍ଧଚଣ୍ଡୀ ସ୍ୱୟଂ ସହାୟିକା ଗୋଷ୍ଠୀ । ଏହି ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଶାନ୍ତିଲତା ପ୍ରଥମେ ଏକ ଛୋଟ ଛତୁଆ ତିଆରି ୟୁନିଟ୍ କରିଥିଲେ । ସେଥିରେ ସଫଳ ହେବା ପରେ ଶାନ୍ତିଲତା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୨୦୨୩ରେ ପ୍ରଧାନମନ୍ତ୍ରୀ ଫୁ଼ଡ୍ ପ୍ରୋସେସିଂ ୟୁନିଟ୍ ଯୋଜନାରେ ୩୦ ଲକ୍ଷ ଟଙ୍କା ଋଣ କରି ଆରମ୍ଭ କରିଛନ୍ତି ମୁଢ଼ି କାରଖାନା ।

Advertisment

ଶାନ୍ତିଲତା ମୁଢ଼ି ତିଆରି ପାଇଁ ପ୍ରଥମେ ବିଭିନ୍ନ ସ୍ଥାନରୁ ଚାଉଳ ସଂଗ୍ରହ କରିଥାନ୍ତି । ପରେ ଚାଉଳକୁ ଲୁଣ ପାଣିରେ ଭିଜାଇ ଖରାରେ ଶୁଖାଇବା ପରେ ତାକୁ ଭାଟିରେ ପକାଇ ସେଥିରେ ମୁଢ଼ି ଭାଜିଥାନ୍ତି । ମୁଢ଼ି ସହ ଶୋଲା ଭଜା ମିଶାଇ ପ୍ୟାକେଜିଂ କରି ବିକ୍ରି କରନ୍ତି । ଶାନ୍ତିଲତାଙ୍କ ମୁଢ଼ି ୟୁନିଟରେ ମାସକୁ ୫୦ କୁଇଣ୍ଟାଲ ମୁଢ଼ି ଉତ୍ପାଦନ ହେଉଛି ।  ଏଥିରେ ମହିଳା, ଯୁବତୀ ଓ ପୁରୁଷମାନଙ୍କୁ ମିଶାଇ ୪୦ ଜଣ କର୍ମ ନିଯୁକ୍ତି ପାଇ ବେଶ୍ ଖୁସି ଅଛନ୍ତି । ମୁଢ଼ି କାରଖାନାର ପ୍ରତ୍ୟେକ କର୍ମଚାରୀ ମାସିକ ୮ ହଜାରରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଶାନ୍ତିଲତାଙ୍କ ୟୁନିଟ୍‌ରେ ପ୍ରସ୍ତୁତ ମୁଢ଼ି ଜିଲ୍ଳା ଓ ଜିଲ୍ଳା ବାହାରକୁ ଯାଉଛି । 


ଶାନ୍ତିଲତାଙ୍କ ଏହି ବ୍ୟାବସାୟିକ ସଫଳତା ଅନ୍ୟ ଅସହାୟ ଗ୍ରାମୀଣ ମହିଳାଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।