କନକ ବ୍ୟୁରୋ: କଟକ ସାଲେପୁର ମାହାଙ୍ଗା ବ୍ଲକରେ ହଜାର ହଜାର ହେକ୍ଟରରୁ ଅଧିକ ଜମିରେ ହେଉଥିଲା ନଳିତା ଚାଷ । ସାରା ରାଜ୍ୟରେ ସେଥିପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ନାଁ ମଧ୍ୟ ରଖିଥିଲା। ଉନ୍ନତମାନର ଝୋଟ ଉତ୍ପାଦନ କରିବା ସହିତ ଏପରିକି ଲାଭ ଜନକ ଫସଲ ଭାବେ ଗ୍ରହଣ କରି ଝୋଟକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲା ଚାଷୀ। ହେଲେ ସମୟ ବଦଳି ଯାଇଛି ଏବେ କିନ୍ତୁ ବିଭିନ୍ନ କାରଣ ଓ ସମସ୍ୟା ପାଇଁ ବୁଡି ଯାଉଛି ନଳିତା ଚାଷ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ,ସାଲେପୁର ଓ ମାହାଙ୍ଗା ବ୍ଲକରେ।

Advertisment

ପଡିଆ ପଡିଛି ଜମି । ନଳିତା ଚାଷ ବଦଳରେ ହେଛି ଧାନ ଚାଷ । ଧୀରେ ଧୀରେ ଏହି ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ । ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ସେମାନେ ଝୋଟର ଉଚିତ ଦାମ ନମିଳିବାରୁ ସେମାନେ ହତାଶ ହୋଇପଡିଛନ୍ତି । ନଳିତା କାଟିବା ଠାରୁ ଆରମ୍ଭ କରି ତାକୁ ଆଣି ପାଣିରେ ପକାଇ ପଚାଇ ତାକୁ ବାଡେଇ ଝୋଟ କଢାଯାଏ । ଏହା ସହିତ କାଉଁରିଆ କାଠି କାଢ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ବି ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନି । କୀଟନାଶକ ଔଷଧର ମୂଲ୍ୟବୃଦ୍ଧି, ମଜୁରୀ ବୃଦ୍ଧି ପାଇଁ ନଳିତା ଚାଷ କରିବା ସମ୍ଭବ ହେଉ ନାହିଁ । ଆଉ ଯେତିକି ପରିମାଣର ହେଉଛି ବିକ୍ରିର ସୁବିଧା ନଥିବାରୁ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ଵାରା ଚାଷୀ ଶୋଷଣର ଶିକାର ହେଉଛନ୍ତି । 

ସମୟ ଥିଲା ନିଶ୍ଚିନ୍ତକୋଇଲିର କେନ୍ଦୁପାଟଣା ଠାରେ ଝୋଟ କର୍ପୋରେସନ ଅଫ ଇଣ୍ଡିଆର ଗୋଦାମ କରାଯାଇ ଲକ୍ଷ ଲକ୍ଷ ଟନ ଝୋଟ ପଶ୍ଚିମବଙ୍ଗକୁ ଯାଉଥିଲା । ହେଲେ ଉତ୍ପାଦନ କମିବା ଫଳରେ ଝୋଟ ସାମଗ୍ରୀର ବ୍ୟବହାର ମଧ୍ୟ କମିଗଲାଣି । ସେପଟେ ସରକାରୀ ପ୍ରୋତ୍ସାହନ ମିଳିଲେ ନଳିତା ଚାଷ ପ୍ରତି ଚାଷୀ ଙ୍ର ଆଗ୍ରହ ବଢ଼ିପାରିବ ବୋଲି ଆଶା କରିଛନ୍ତି ଚାଷୀମାନେ । ନଳିତା ଚାଷ ପ୍ରତି ବିମୁଖ ହେଉଥିବା ଚାଷୀଙ୍କ ପାଇଁ ସରକାର ପ୍ରୋତ୍ସାହନ ସହ ବଜାର ବ୍ୟବସ୍ଥା କରିପାରିଲେ ପୁଣିଥରେ ଲୋପପାଉଥିବା ଏହି ଚାଷ ଆରମ୍ଭ ହୋଇପାରନ୍ତା ।