କନକ ବ୍ୟୁରୋ: ଆସନ୍ତା ଦୁର୍ଗାପୂଜା ତା.୨୮.୦୯.୨୦୨୫ (ସୋମବାର) ବିଲ୍ଵଧୁବାସ ବା ବେଲ ବରଣୀ ଠାରୁ ଆରମ୍ଭ ହୋଇ ତା.୦୨.୧୦.୨୦୨୫ (ଗୁରୁବାର) ବିଜୟା ଦଶମୀରେ ଘଟ ବିସର୍ଜନ ପରେ ସମାପ୍ତ ହେବ । ଏବଂ ତା. ୦୩.୧୦.୨୦୨୫ (ଶୁକ୍ରବାର) ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ହେବେ । ଏଥିପାଇଁ ଭୁବନେଶ୍ଵର ଶାନ୍ତି କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ବୈଠକ ଆୟୋଜିତ ହୋଇଛି । ଏଥିରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅଂଚଳର ମୁରବି ଓ କିଛି ପ୍ରତିଷ୍ଠିତ ବରିଷ୍ଠ ନାଗରିକ ଓ ସାମ୍ବାଦିକମାନେ ଯୋଗ ଦେଇଛନ୍ତି । ଚଳିତ ୨୦୨୫ ଦୁର୍ଗାପୂଜା ପାଇଁ ଗତ ୦୧.୦୯.୨୦୨୫ ପୁଲିସ ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ସହମତି ଅନୁଯାୟୀ ପୁଲିସ ଓ ପ୍ରଶାସନ ସହ ସମନ୍ବୟ ପୂର୍ବକ ଶାନ୍ତି ଶୃଙ୍ଖଳାର ସହ ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା, ବାଜା, ନାଚ, ଗୀତ ଓ ଭାବ ଓ ନିଷ୍ଠାର ସହ ନୀତି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟରେ ଶୁଦ୍ଧ ସାମଗ୍ରୀ ସହ ପୂଜା କରିବାକୁ ସମସ୍ତ ୧୯୦ଟି କମିଟିକୁ ଅନୁରୋଧ କରାଗଲା ।
ମା ଦୁର୍ଗାଙ୍କର ମୂର୍ତ୍ତିରେ କେମିକାଲ ରଙ୍ଗ ବା ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ନ କରିବା । ପଲିଥିନ କିମ୍ବା ପ୍ଲାଷ୍ଟିକ ବ୍ୟବହାର ନ କରିବା, ମଣ୍ଡପରେ ଅଗ୍ନି ନିର୍ବାପକ ସାମଗ୍ରୀ ଓ ପାନୀୟ ଜଳର ବ୍ୟବସ୍ଥା କରିବା ଏବଂ ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ମାନଙ୍କୁ ସମ୍ମାନର ସହ ମଣ୍ଡପରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା । ଶ୍ଳୋକାବୃଭି, ଚଣ୍ଡିପାଠ, ଗୀତାପାଠ, ପୂଜାକର୍ମ, ମେଲୋଡି ବା ଭଜନ ସମାରୋହରେ ଆଇନ ଅନୁମୋଦିତ ସାଉଣ୍ଡ ବକ୍ସ ବ୍ୟବହାର କରିବା । ମଣ୍ଡପର ଆଖାପଖ ଅଂଚଳରେ ମଦକୁ ବାରଣ କରିବା ।
ଭଷାଣୀରେ ଡି.ଜେ. ବ୍ୟବହାର ନ କରିବା. ରାବଣ ପୋଡିରେ ବିସ୍ଫୋରକ ଆବାଜ ବାଣକୁ ବାରଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଗଲା । ସଭାପତି ଡ. ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ନବ କିଶୋର ବେହେରା ବିବରଣୀ ପାଠ କରିଥିଲେ । ସୁଧାଂଶୁ ଶେଖର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ, ଆଶାଲତା ରାଉତରାୟ ଚଣ୍ଡିପାଠ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଏକାମ୍ବର ବିଧାୟକ ବାବୁ ସିଂ ଯୋଗ ଦେଇ କହିଲେ ମଦ ମୁକ୍ତ ଦୁର୍ଗା ପୂଜା ଓ ଡିଜେ ମୁକ୍ତ ଭସାଣି ପାଇଁ ନିବେଦନ କରିଥିଲେ । ସମସ୍ତେ ନିଷ୍କାର ସହ ଓ ଭକ୍ତି ଭାବରେ ମା ଙ୍କୁ ପୂଜା କରି କୃପା ଲାଭ କରିବା ପାଇଁ ଅନୁରୋଧ କରିଥିଲେ । ବିଶେଷ ଅତିଥି ଭାବେ ପୂ ର୍ବତ୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, କଂଗ୍ରେସ ନେତା କୃଷ୍ଣ ଚନ୍ଦ୍ର ପତି, ନାରାୟଣ ମହାପାତ୍ର, ଯୁଗଳ କିଶୋର ସାହୁ, ରାଜେନ୍ଦ୍ର ସାମର୍ଥା, ହାସନ ଖାଁ ରଶ୍ମି ମହାପାତ୍ର, ସୁରେନ୍ଦ୍ର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମରେନ୍ଦ୍ର ସାହୁ, ସରୋଜ ମଲ୍ଲିକ, ଚିତ୍ରଲେଖା ଆଶ୍ଚର୍ଯ୍ୟ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ସାଇ ଜରା ନିବାସର ଟ୍ରଷ୍ଟ ବରିଷ୍ଠ ଆଇନଜୀବି ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।