କନକ ବ୍ୟୁରୋ : ବିଡିଓଙ୍କ ଆର୍ଥିକ କ୍ଷମତା ବଢ଼ାଇଛନ୍ତି ସରକାର । ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପ୍ରତି ବ୍ଲକରେ ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ କ୍ୟାବିନେଟ୍ ମୋହର ପରେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଡିଓ ବିକାଶ ଯୋଜନା ପାଇଁ ୨୦ ଲକ୍ଷ ଯାଏଁ ପ୍ରାଶାସନିକ ଅନୁମୋଦନ ଦେଇପାରିବେ ।
୧୦ ଲକ୍ଷ ଯାଏଁ ବିଲ୍ ପାସ୍ ପାଇଁ ଅଧ୍ୟକ୍ଷଙ୍କ ସ୍ବାକ୍ଷର ଦରକାର ନାହିଁ ।
କନିଷ୍ଠ ଓ ସହକାରୀ ଯନ୍ତ୍ରୀ ୫ ଲକ୍ଷ ଟଙ୍କା ଯାଏଁ ବୈଷୟିକ ମଞ୍ଜୁରୀ ଦେବେ ।
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଯାଏଁ ଆର୍ଥିକ କ୍ଷମତା ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ ରୁ ୫୦ ଲକ୍ଷ ଟଙ୍କା ପ୍ରାଶାସନିକ ଅନୁମୋଦନ କରିପାରିବେ ।
ସରକାରଙ୍କ ଯୁକ୍ତି ହେଲା ବିକାଶମୂଳକ ଯୋଜନାଗୁଡ଼ିକର ସୁଗମ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପଞ୍ଚାୟତ ସ୍ତରରେ ବିଜେଡିକୁ କାଉଣ୍ଟର ରଣନୀତି
ରାସ୍ତାକୁ ଓହ୍ଲାଇବ ମୁଖ୍ୟ ବିରୋଧୀ ଦଳ
କୁହାଯାଉଛି, ରାଜ୍ୟରେ ବିଜେପି ସରକାର ଥିଲେ ବି ପଞ୍ଚାୟତସ୍ତରରେ ବିଜେଡି ସମର୍ଥିତ ପ୍ରତିନିଧି ରହିଛନ୍ତି । ଅଧିକାଂଶ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କଲାବେଳେ ପଞ୍ଚାୟତ ପ୍ରତିନିଧି ଓ ବିଜେପି ବିଧାୟକ ମୁହାଁମୁହିଁ ହେଉଛନ୍ତି । ତେଣୁ ଗାଁ ଗାଁରେ ବିଜେଡିରୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ବିଡିଓଙ୍କ କ୍ଷମତାକୁ ବଢ଼ାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ତାତିଛି ବିଜେଡି । ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି । ବିଜେଡିକୁ କଟାକ୍ଷ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବିଡିଓଙ୍କୁ ଅଧିକ କ୍ଷମତା ଦେଇ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ନିଜର ପଥ ପରିଷ୍କାର କରୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।