କନକ ବ୍ୟୁରୋ: ରାଜଧାନୀରେ ବିଲଡରଙ୍କୁ ହତ୍ୟାପରେ ଭୟରେ ପୂରା ପରିବାର । ରାତି ହେଲେ ଘର ଉପରକୁ ହେଉଛି ଢେଲା ମାଡ଼ । ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ, କେତବେଳେ କଣ ଘଟିବ ସେ ନେଇ ଆଶଙ୍କାରେ ପରିବାର । ହତ୍ୟାକାଣ୍ଡ ପରଠାରୁ ମୃତ ସସ୍ମିତଙ୍କ ପରିବାରରେ କୋକୁଆଭୟ ।
ଭୟରେ ମୃତ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କ ପରିବାର । ପରିବାରର ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ ଶାନ୍ତିରେ ଶୋଇପାରୁ ନାହାନ୍ତି ସେମାନେ । ଏପରିକି ରାତି ହେଲେ ଘର ଉପରକୁ ଢେଲା ମାଡ଼ ହେଉଛି । ଘର ବାହାରେ ବି ଢେଲା ପଡୁଛି । ଇଟା, ପଥର ଛେଲା ଛେଲା ହୋଇ ଦୁଆରେ ପଡିଛି । ବାହାରକୁ ଗୋଡ଼ କାଢ଼ିବାକୁ ଭୟ ଲାଗୁଛି । କାଳେ କିଏ ପୁଣି ମୋ ପରିବାରର ଆଉ କାହାକୁ ହାଣି ଦେବ। ତାଲା ପକେଇ ରହୁଛି, କିଏ ଜାଣେ ଘର ଭିତରେ ପଶି ଆମ ଛୁଆର ତଣ୍ଟି ଚିପିଦେବ । ହତ୍ୟାକାଣ୍ଡ ପରଦିନ ଠାରୁ ଯେମିତି କୋକୁଆ ଭୟ । ରାତି ତ ରାତି ଦିନରେ ବି ଆମ ଛୁଆମାନେ ସ୍କୁଲକୁ ଯାଉନାହାନ୍ତି।
ସେପଟେ ସସ୍ମିତଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । କହିଛନ୍ତି ଭାଇ ବି ପୁଲିସକୁ ଜଣାଇଥିଲେ । ଘଟଣା ଦିନ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୁଲିସ ହାତ ଟେକି ଦେଲା, ଭାଇ ଚାଲିଗଲେ । ଫେରାର ଆସାମୀ ମାନେ ଏବେ ଖୁଲମଖୁଲା ଧମକ ଦେଉଛନ୍ତି । ଅଭିଯୁକ୍ତ ମାନେ ଯେ, ପୁଣି ଏକ ହତ୍ୟାକାଣ୍ଡ ନ ଭିଆଇବେ ସେକଥା ବା କିଏ କହିବ।