କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ୩ ବର୍ଷ ଓ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆହୁରି ବର୍ଷେ ବାକି। ତେବେ ଏହା ପୂର୍ବରୁ ଲୋକଙ୍କ ମନ ଜିଣିବାକୁ ପୁଣିଥରେ ମୈଦାନକୁ ଓହ୍ଲାଇବେ ୩ ରାଜନୈତିକ ଦଳ। କାରଣ ଏହି ନିର୍ବାଚନର ଫଳାଫଳ ହିଁ ରାଜ୍ୟ ରାଜନୀତିକୁ ଦେଇପାରେ ଭିନ୍ନ ମୋଡ ।
ରାଜ୍ୟରେ ନୂଆ ଏନଏସି, ମୁନ୍ସିପାଲିଟିରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଅଣ୍ଟା ଭିଡ଼ିଛନ୍ତି। ହେଲେ ଅସଲ ପରୀକ୍ଷା ଦେବେ ୩ ପ୍ରମୁଖ ରାଜନୈତିକ ଦଳ। ପଞ୍ଚାୟତ ନିର୍ବାଚନକୁ ବର୍ଷେ ସମୟ ବାକି ରହିଛି। ତେବେ ଏହାପୂର୍ବରୁ ୩ ଦଳର ତୃଣମୂଳ ସ୍ତରରେ ଶକ୍ତି, ସଙ୍ଗଠନ ଓ ସାମର୍ଥ୍ୟ କେତେ ତା’ର ପ୍ରମାଣ ଦେବ ଏହି ନିର୍ବାଚନ। କାରଣ ଦଳୀୟ ଚିହ୍ନରେ ଲଢ଼ାଯିବ ନିର୍ବାଚନ। ବିଜେପି ପାଇଁ ତୃଣମୂଳସ୍ତରରେ ନିଜକୁ ଶକ୍ତିଶାଳୀ କରିବାକୁ ବଡ ସୁଯୋଗ। ଗତ କିଛି ମାସ ମଧ୍ୟରେ ଅନେକ ସ୍ଥାନରେ ବିଜେଡି ଗଡ ଭାଙ୍ଗିଛି ବିଜେପି। ହେଲେ ଲୋକଙ୍କ ସରକାରଙ୍କ ଲୋକପ୍ରିୟତା ଗ୍ରାଉଣ୍ଡରେ କେତେ ଗ୍ରହଣୀୟ ହୋଇଛି ତାହା ନିର୍ବାଚନର ଫଳାଫଳ ସ୍ପଷ୍ଟ କରିବ। କ୍ଷମତାରୁ ଯିବା ପରେ ବିଜେଡିର ଗୋଟିଏ ପରେ ଗୋଟିଏ ଗଡ ଭାଙ୍ଗୁଛି। ତେଣୁ ପୁଣିଥରେ ଲୋକଙ୍କ ଭରସା ଜିତି ଏହି ଧାରାରେ ବ୍ରେକ୍ ଦେବାର ସୁଯୋଗ ବିଜେଡି ପାଖରେ ରହିଛି। ଦଳୀୟ କନ୍ଦଳରେ ଫଶିଥିବା କଂଗ୍ରେସ ଭକ୍ତଙ୍କ ନେତୃତ୍ବରେ ନିଜର ସାଙ୍ଗଠନିକ ଦକ୍ଷତାର ବଡ ପରୀକ୍ଷା ଦେବ ।
ନୂଆକରି ଗଠନ ହୋଇଥିବା ପୁରୀ ମହାନଗର ନିଗମ ଓ ଗଠନ ପରଠାରୁ ଜନପ୍ରତିନିଧି ପାଇନଥିବା ସମ୍ବଲପୁର ମହାନଗର ନିଗମରେ ନିର୍ବାଚନ ପାଇଁ ବାଟ ଫିଟିଛି। ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବବହନ କରୁଥିବା ଏହି ୨ ମହାନଗର ନିଗମକୁ ଅକ୍ତିଆର କରିବାକୁ ୩ ଦଳ ଭିତରେ ଆରମ୍ଭ ହେଲାଣି କସରତ। ଅନ୍ୟପଟେ ନିର୍ବାଚନକୁ ନେଇ ଉତ୍ସାହିତ ଅଛନ୍ତି ସହରବାସୀ। ଏହି ନିର୍ବାଚନକୁ ନେଇ ୩ ଦଳ ଯେତିକି ଉତ୍ସାହିତ ସେତିକି ଚିନ୍ତିତ। କାରଣ ସାଧାରଣ ନିର୍ବାଚନର ପାଖାପାଖି ୨ ବର୍ଷ ପରେ ସ୍ପଷ୍ଟ ହେବ ଲୋକଙ୍କ ମୁଡ କଣ?
Follow Us