କନକ ବ୍ୟୁରୋ : ନୀତୀଶ କୁମାର ରାଜ୍ୟସଭାକୁ ଯିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବିହାରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ବିହାର ପ୍ରଥମ ଥର ପାଇଁ ଦେଖିପାରେ ବିଜେପି ମୁଖ୍ୟମନ୍ତ୍ରୀ । ବିଜେପିର ଉଦ୍ଦେଶ୍ୟ ପ୍ରତି ରାଜନୈତିକ ମହଲରେ ଅଙ୍ଗୁଳି ଉଠିଥିବା ବେଳେ ନୀତୀଶଙ୍କୁ ଛାଡ଼ିବା ନେଇ ରାଜ୍ୟବାସୀ ନାରାଜ ଅଛନ୍ତି।
ବିହାର ବିଧାନସଭା ନିର୍ବାଚନ ସମୟରୁ ହିଁ ବିଜେପିର ଉଦ୍ଦେଶ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କଳେବଳେ କୌଶଳେ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିଜର ଦବଦବା ଜାହିର କରିବାକୁ ଚାହୁଛି ବୋଲି ରାଜନୈତିକ ମହଲରେ ଏବେ ଅଧିକ ଚର୍ଚ୍ଚା ହେଉଛି। ନୀତୀଶ କୁମାରଙ୍କୁ ରାଜ୍ୟସଭାକୁ ପଠାଇ ବିଜେପି ନିଜର କୌଣସି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଥିବା ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। କିନ୍ତୁ ଲୋକଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କୁ ଏପରି ଭାବେ ଦୂରେଇ ରଖିବା ଭବିଷ୍ୟତ ପାଇଁ ଭଲ ନୁହେଁ ବୋଲି ମତ ପ୍ରକାଶ ପାଇଛି।
ନୀତୀଶ କୁମାର ରାଜ୍ୟସଭାକୁ ଯିବା ପାଇଁ ଆଗ୍ରହୀ ଥିବା ନିଜେ କହିଥିଲେ ମଧ୍ୟ ଏହା ପଛରେ ଚାପ ରହିଥିବା ଚର୍ଚ୍ଚା ହେଉଛି। ୨୦ ବର୍ଷ ହେଲା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହି ବିହାରର ଯଥେଷ୍ଟ ବିକାଶ କରିଥିବା ରାଜ୍ୟର ନେତା ଓ ଜନତା ମତ ଦେଉଛନ୍ତି। ଏଭଳି ସ୍ଥିତିରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କାହିଁକି? ରାଜ୍ୟସଭା ନିର୍ବାଚନ ପାଇଁ ନୀତୀଶ କୁମାରଙ୍କ ନାମାଙ୍କନ ପୂର୍ବରୁ କର୍ମୀ ଓ ସାଧାରଣ ଲୋକଙ୍କ କ୍ରୋଧ ମଧ୍ୟ ଦେଖିବାକୁ ମିଳିଥିଲା।
ନୀତୀଶ କୁମାର ବିଧିବଦ୍ଧ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ରାଜନୀତିରେ ପକ୍କା ଖେଳାଳି ଭାବେ ପରିଚିତ ନୀତୀଶ ଭବିଷ୍ୟତରେ କାହା ଚାପରେ ମୁଣ୍ଡ ନୁଆଁଇବା ଭଳି ମନେ ହେଉନାହିଁ ବୋଲି ରାଜଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Follow Us