କନକ ବ୍ୟୁରୋ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି । ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୦ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି । ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ପ୍ରାୟ ୮୦୦ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । ସୀମିତ ସମ୍ବଳ ଏବଂ ଦୁର୍ଗମ ଅଞ୍ଚଳ ଯୋଗୁଁ ଉଦ୍ଧାରକାରୀ ଦଳଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ପରିବାର ନିଜର ଘର ଏବଂ ଜୀବିକା ହରାଇ ଖୋଲା ଆକାଶ ତଳେ ରହୁଛନ୍ତି । ସାହାଯ୍ୟ ସହାୟତା କରୁଥିବା ସଂସ୍ଥାଗୁଡ଼ିକ ତୁରନ୍ତ ଖାଦ୍ୟ, ଔଷଧ ଏବଂ ଅସ୍ଥାୟୀ ଆଶ୍ରୟ ଯୋଗାଇ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆବଶ୍ୟକତା ତୁଳନାରେ ସମ୍ବଳ ଯଥେଷ୍ଟ କମ୍ ରହିଥିବା ଜଣାପଡ଼ିଛି ।
ଆଫଗାନିସ୍ତାନରେ ଏହା ପୂର୍ବରୁ ମଧ୍ୟ ଅନେକ ପ୍ରାକୃତିକ ଦୁର୍ବିପାକ ଘଟିଛି ଏବଂ ପ୍ରକୃତିର ପ୍ରକୋପ ଏହି ଦୁର୍ଦ୍ଦଶାଗ୍ରସ୍ତ ରାଷ୍ଟ୍ରକୁ ଆହୁରି ଦୁର୍ବଳ କରିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଗତ ସୋମବାର ପୁଣିଥରେ ଭୂକମ୍ପ ହୋଇଛି । ପୂର୍ବ ଆଫଗାନିସ୍ତାନରେ ୫.୨ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିବା ବେଳେ ତୁହାକୁ ତୁହା କମ୍ପନ ଆତଙ୍କ ସୃଷ୍ଟି କରିଛି । ଆଜିର ଭୂକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ସେହି କୁନାର ପାଖାପାଖି ଅଞ୍ଚଳରେ ରହିଛି ।