କନକ ବ୍ୟୁରୋ; ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । ଭୂସ୍ଖଳନ ଯୋଗୁ ରାସ୍ତା ଉପରେ ଧସେଇ ପଡ଼ିଛି ମାଟି ଅତଡ଼ା । ସେପଟେ ଲୁହାସେତୁ ମଧ୍ୟ ଭାଙ୍ଗିଯାଇଛି । ପ୍ରକୃତିର ଏହି ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଅଛନ୍ତି । ଅନେକ ଗାଁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହିତ ଶତାଧିକ ପର୍ଯ୍ୟଟକ ଫସିଛନ୍ତି । ଆଜି ପ୍ରଭାବିତ ଅଞ୍ଚଳକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଦାର୍ଜିଲିଂର ମିରିକ୍ ଓ ସୁଖିଆ ପୋଖରୀରେ ଭୟଙ୍କର ଭୂସ୍ଖଳନ ଯୋଗୁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମକୁ ସଂଯୋଗ କରୁଥିବା ରାସ୍ତା ଏବଂ ଦାର୍ଜିଲିଂ ଓ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ ଯୋଗୁ ଅନେକ ଘର ଧ୍ବଂସସ୍ତୂପରେ ପରିଣତ ହେବା ସହ ପ୍ରମୁଖ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଅନେକ ଦୁର୍ଗମ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ଦୁର୍ଗାପୂଜା ପରେ କୋଲକାତା ଏବଂ ଅନ୍ୟ ଅଞ୍ଚଳରୁ ବହୁ ପର୍ଯ୍ୟଟକ ଦାର୍ଜିଲିଂ ଆସିଥିବା ବେଳେ ସେମାନେ ଫସି ରହିଛନ୍ତି । ତେବେ ଦାର୍ଜିଲିଂ ଘଟଣାରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ସେପଟେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।