କନକ ବ୍ୟୁରୋ: ଗୋଆ ଦଳାଚକଟା ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ଅଘଟଣରେ ମୃତ୍ୟୁ ସଂଖ୍ୟା ୭ରେ ପହଁଚିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ କେଉଁ ପରିସ୍ଥିତି ଏତେ ବଡ ଦୁର୍ଘଟଣା ଘଟିଲା ଏନେଇ ଚାଲିଛି ତନାଘନା । ଏଥିସହ ସାମ୍ନାକୁ ଆସିଛି ନୂଆ ତଥ୍ୟ ସହ ଦଳଚକଟା ସମୟରେ ଭିଡିଓ ।
ଗୋଆ ଦଳାଚକଟାର ଯାଇଛି ୭ଜଣଙ୍କ ଜୀବନ ଯାଇଛି । ଅସମ୍ଭାଳ ଭିଡ ଭିତରୁ କିଏ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି ତ ପୁଣି କିଏ ଘଟଣାସ୍ଥଳରେ ପଡିଯିବାରୁ ତା ଉପରେ ମାଡ଼ିଯାଉଛନ୍ତି ଅଗଣିତ ଲୋକ । ଗୋଆର ଶିରଗାଓଁରେ ଆୟୋଜିତ ଶ୍ରୀ ଲୈରାଇ ‘ଯାତ୍ରା’ସମୟରେ ଘଟିଛି ଏମିତି ଅଘଟଣ । ମିଳିଥିବା ସୂଚନା ଅନୁସାରେ ନିକଟରେ ଥିବା ଦୁଇଜଣ ଭକ୍ତଙ୍କ ଉପରେ ବିଦ୍ୟୁତ ତାର ଛିଣ୍ଡିପଡିବାରୁ ଲୋକମାନେ ଧାଁ ଧଉଡ କରିଥିଲେ । ଯାହାଫଳରେ ଦଳାଚକଟା ସହ ଏତେ ବଡ ଅଘଟଣ ଘଟିଯାଇଛି । ତେବେ ଘଟଣାସ୍ଥଳରେ ପହଁଚି ସ୍ଥିତି ସମୀକ୍ଷା କରିବା ସହ ଡାକ୍ତରଖାନା ଯାଇ ଆହାତଙ୍କ ସ୍ବାସ୍ଥ୍ୟ ପଚାରିବୁଝିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
ଗୋଆର ପ୍ରସିଦ୍ଧ ଲୈରାଇ ଦେବୀ ମାଙ୍କ ମନ୍ଦିରରେ ପ୍ରତିବର୍ଷ ଏହି ବିଶାଳ ଯାତ୍ରା ଆୟୋଜନ ହୁଏ । ଧାର୍ମିକ ଉତ୍ସବରେ ହଜାର ସଂଖ୍ୟକ ଯାତ୍ରୀ ସାମିଲ ହୁଅନ୍ତି । କର୍ଣ୍ଣାଟକରୁ କେବଳ ଆସନ୍ତି ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ । ଦକ୍ଷିଣ ଗୋଆର ଶିରୋଡାରେ ଅବସ୍ଥିତ ଅଛି ମନ୍ଦିର । ଏଠାରେ ୧୫ ଫୁଟ ଲମ୍ବ, ୧୫ ଫୁଟ ଚଉଡା ଓ ୨୧ ଫୁଟ ଉଚ୍ଚର ଏକ ଅଗ୍ନିବେଦୀ କରାଯାଏ । ମାନସିକଧାରୀ ମାନେ ଏହି ନିଆଁ ଉପରେ ଚାଲିଥାନ୍ତି । ତେବେ ଶୁକ୍ରବାର ଖାଲି ପାଦରେ ଥିବା କିଛି ଭକ୍ତଙ୍କ ଉପରେ ବିଦ୍ୟୁତ ତାର ପଡିବା ଯୋଗୁଁ ହୋହାଲ୍ଲା ହେବା ସହ ବଡ ଧରଣର ଦଳାଚକଟା ଘଟଣା ଘଟିଥିଲା ।