କନକ ବ୍ୟୁରୋ:  ନୀରବି ଯାଇଛି କିସ୍ତୱାଡ଼ । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଥିବାବେଳେ ଏବେବି  ୫୦୦ରୁ ଅଧିକ  ନିଖୋଜ ଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସେମାନେ ପାଦାର ଅଞ୍ଚଳର ବୋଲି ଜଣାପଡ଼ିଛି  । ଏଭଳି ଦୁଃଖଦ ସ୍ଥିତି ଭିତରେ ପୂରା ଅଞ୍ଚଳରେ ଏବର୍ଷ ଜନ୍ମାଷ୍ଟମୀ  ପାଳନକୁ ସ୍ଥଗିତ ରଖାଯାଇଛି । 

Advertisment

ସେପଟେ ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁଯାୟୀ, ଅଧିକାଂଶ ମୃତ୍ୟୁ ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପାଖ୍ତୁନଖ୍ୱା ପ୍ରଦେଶରେ ହୋଇଛି। ବୁନେର ଜିଲ୍ଲାରେ ୧୦୦ରୁ ଅଧିକ ଲୋକ ବନ୍ୟା ଓ ମାଟିଧସିବା ଯୋଗୁଁ ପ୍ରାଣ ହରାଇଛନ୍ତି । ବାଜୌରରେ ଏକ ଉଦ୍ଧାରକାରୀ ହେଲିକପ୍ଟର ଖରାପ ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣ କ୍ରୁ ମୃତ୍ୟୁବରଣ କରିଛନ୍ତି । ମାନସେହରାରେ ୧,୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଜରୁରୀ ଅବସ୍ଥା ଘୋଷଣା କରି ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି ।