କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା 'କାଣ୍ଟା ଲାଗା' ମ୍ୟୁଜିକ ଭିଡିଓ ଓ ବିଗ୍ ବସ୍ ୧୩ରେ ନିଜର ପରିଚୟ ସୃଷ୍ଟି କରିଥିବା ଶେଫାଲୀ ଜରିୱାଲାଙ୍କ ଅଚାନକ ମୃତ୍ୟୁ ମନୋରଞ୍ଜନ ଜଗତରେ ଏକ ବଡ଼ ଆଘାତ ଦେଇଛି । ମାତ୍ର ୪୨ ବର୍ଷ ବୟସରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି, ଯାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସନ୍ଦେହ ବଢିବାରୁ ଅଭିନେତ୍ରୀ ଶେଫାଲୀଙ୍କ ବାସଭନରେ ଫୋରେନ୍ସିକ ଟିମ । ଏଥିସହ ପହଁଚିଛି ମୁମ୍ବାଇ ପୁଲିସ । ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ଏଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ । ସମ୍ପର୍କୀୟ, ରୋଷେୟା ଓ ଅନ୍ୟ ଘରୋଇ ସହାୟକଙ୍କୁ ଜେରା କରାଯାଉଛି ।
ଶେଫାଳାଙ୍କୁ ମୃତ୍ୟୁକୁ ପ୍ରାରମ୍ଭିକ ରିପୋର୍ଟରେ ହୃଦ୍ଘାତ କାରଣ ବୋଲି କୁହାଯାଉଥିଲେ ମଧ୍ୟ, ମୁମ୍ବାଇ ପୋଲିସ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାନ୍ତି। ଶେଫାଲୀଙ୍କ ସ୍ୱାମୀ ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ମୁମ୍ବାଇର ବେଲେଭ୍ୟୁ ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ, ଶେଫାଲୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଯାହାକୁ ନେଇ ସନ୍ଦେହ ବଢୁଛି ।
ରହସ୍ୟରେ ଶେଫାଳୀଙ୍କ ମୃତ୍ୟୁ
ଦିନକ ଆଗରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଶେଫାଳୀ
ଶୁକ୍ରବାର ରାତିରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ
ଛାତିରେ ଯନ୍ତ୍ରଣା ପରେ ଡାକ୍ତରଖାନାକୁ ନିଆଗଲା
ଚିକିତ୍ସା ସମୟରେ ଡାକ୍ତର କରିଥିଲେ ମୃତ ଘୋଷଣା
ସିକ୍ୟୁରିଟି ଗାର୍ଡଙ୍କ ବୟାନ ବଢ଼ାଇଲା ସନ୍ଦେହ
ଦିନକ ପୂର୍ବରୁ ସ୍ବାମୀଙ୍କ ସହ ବୁଲୁଥିଲେ ଶେଫାଳୀ
ସେ ସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ
ମୃତ୍ୟୁର ପୂର୍ବଦିନ କିଛି ଅଚିହ୍ନା ବ୍ୟକ୍ତି ଶେଫାଳୀଙ୍କ ଘରକୁ ଆସିଥିଲେ
ତେବେ ମୃତ୍ୟୁ ପୂର୍ବରୁ କଣ କରୁଥିଲେ ଶେଫାଳୀ । କିଏ କିଏ ତାଙ୍କୁ ଭେଟିଥିଲେ । ଖାଦ୍ୟରେ କଣ କଣ ଖାଇଥିଲେ ଏବେ ପୋଲିସର ତଦନ୍ତ ସେ ଦିଗରେ ଜାରି ରହିଛି । ଶେଫାଳୀଙ୍କ ଆପାର୍ଟମେଣ୍ଟରେ ଫରେନସିକ୍ ଟିମ୍ କରୁଛି ଯାଂଚ ।