କୁଆଡ଼େ ଗଲା ସ୍ମିତାରାଣୀଙ୍କ ମୃତ୍ୟୁ ଫାଇଲ୍ ; ହତ୍ୟା ନା ଆତ୍ମହତ୍ୟା, ଏବେବି ରହସ୍ୟରେ ଏ ପ୍ରଶ୍ନ

୨୦୧୯ର ବହୁଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ଫାଇଲ ଏ ଯାଏଁ ଖୋଲି ପାରିଲାନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା, ହତ୍ୟା ପୂର୍ବରୁ ସ୍ମିତାରାଣୀଙ୍କ ସହିତ କ’ଣ ଘଟିଥିଲା, ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତ ଥିଲେ; ଏମିତି ଅନେକ ଅସମାହିତ ପ୍ରଶ୍ନ ଅନ୍ଧାରରେ ରହିଗଲା ।

smita

କନକ ବ୍ୟୁରୋ: ୨୦୧୯ର ବହୁଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ଫାଇଲ ଏ ଯାଏଁ ଖୋଲି ପାରିଲାନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା, ହତ୍ୟା ପୂର୍ବରୁ ସ୍ମିତାରାଣୀଙ୍କ ସହିତ କ’ଣ ଘଟିଥିଲା, ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତ ଥିଲେ; ଏମିତି ଅନେକ ଅସମାହିତ ପ୍ରଶ୍ନ ଅନ୍ଧାରରେ ରହିଗଲା । ଘଟଣାକୁ ୬ବର୍ଷ ବିତିଥିବାବେଳେ ସ୍ମିତାରାଣୀଙ୍କ ସ୍ବାମୀ ସୁଶିଲ ବିଶ୍ବାଳ ଓ ତାଙ୍କର ଏକମାତ୍ର କନ୍ୟା ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ବିଜେପି ସରକାର ଆସିବା ପରେ ସ୍ମିତାରାଣୀ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ବଢ଼ିଥିଲା । ବଡ଼ଚଣାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଥିଲେ । ଆଇନ ମନ୍ତ୍ରୀ ମଧ୍ୟ ସମାନ କଥା ଦୋହରାଇଥିଲେ । ହତ୍ୟାକାଣ୍ଡ ପଛରେ ବିରାଟ କ୍ଷଡ୍‌ଯନ୍ତ୍ର ଲୁଚି ରହିଥିବା ଏବଂ ଏ ସଂପର୍କରେ ଖୋଳତାଡ଼ କରିବାକୁ ବିଜେପି ନେତ୍ରୀ ସ୍ମୃତିରେଖା ପହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ମିତାରାଣୀଙ୍କ ସ୍ବାମୀ ସୁଶିଲ ବିଶ୍ବାଳ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭେଟି ପତ୍ନୀ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ନିବେଦନ କରିଥିଲେ ।  

 ୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କୁ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଘଟଣାଦିନ ସ୍ମିତାରାଣୀ ସରକାରୀ କାର୍ଯ୍ୟରେ ହରିଦାସପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତନଖି କରିବାକୁ ଯାଇଥିଲେ । ମଧ୍ୟାହ୍ନରେ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌କୁ ସ୍ମିତାରାଣୀଙ୍କୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଉ ସେହିଠାରେ ହିଁ ପୂର୍ବ ଯୋଜନା ମୁତାବକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ରାଜନୈତିକ ଚାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପୁଲିସ ଆରମ୍ଭରୁ ଉଦ୍ୟମ କରିଥିଲା । ଏପରିକି ଅନୁସନ୍ଧାନ ପୂର୍ବରୁ ତତ୍କାଳୀନ ଏସ୍‌ପି ଚରଣ ସିଂ ମୀନା ଏହାକୁ ଆତ୍ମହତ୍ୟା ଦର୍ଶାଇ ବିବାଦରେ ଫସିଥିଲେ। ତରବରିଆ ଭାବେ ବ୍ୟବଚ୍ଛେଦ କରି ଶବକୁ ରାତାରାତି ପୋଡ଼ି ଦିଆଯାଇଥିଲା। ପ୍ରମାଣ ନଷ୍ଟ ପାଇଁ‌ ଗେଷ୍ଟ ହାଉସ୍‌କୁ ବିଭିନ୍ନ ଆଳ ଦେଖାଇ ଭାଙ୍ଗି ଦେଇଥିଲା ପ୍ରଶାସନ । 

ଏହି ଘଟଣାରେ କେବଳ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସେତେବେଳେ ବିଜେପିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ମାମଲା ଆଗକୁ ବଢ଼ିବା ଦୂରେ ଥାଉ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ମିତାରାଣୀଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମଧ୍ୟ ମିଳିଲା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe