କନକ ବ୍ୟୁରୋ : ବସ୍ତା- ବାଲିଆପାଳ ରାସ୍ତା। ଯାତାୟାତକୁ ସୁଗମ କରିବା ପାଇଁ କୋଟିକୋଟି ଖର୍ଚ୍ଚରେ ନିର୍ମାଣ ହେଉଥିବା ରାସ୍ତାର ଏ ହେଉଛି ବାସ୍ତବତା । ୨୨ କିଲୋମିଟର ରାସ୍ତାର ବିଭିନ୍ନ ସ୍ଥାନ ଖାଲ। ଫଳରେ ଦୁର୍ଘଟଣା ଘଟୁଛି । ଅନେକ ମୃତାହତ ହେଉଛନ୍ତି । ରାସ୍ତାର ସ୍ଥାୟୀ ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ପୂର୍ତ୍ତ ବିଭାଗର ଏହି ରାସ୍ତା ଉପରେ ବ୍ଲକର ପ୍ରାୟ ୫ ଲକ୍ଷ ଲୋକ ନିର୍ଭରଶୀଳ । ଏହି ରାସ୍ତା ସିଧାସଳଖ ପଶ୍ଚିମବଙ୍ଗଙ୍କୁ ସଂଯୋଗ କରୁଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯା’ଆସର ମାଧ୍ୟମ। ବାଲିଆପାଳରୁ ଧାନ, ପାନ, ମୀନ, କାଜୁ ଭଳି ଅର୍ଥକାରୀ ଫସଲର ରପ୍ତାନୀର ପ୍ରମୁଖ ମାଧ୍ୟମ ଏହି ରାସ୍ତା । ହେଲେ ପୂର୍ତ୍ତ ବିଭାଗ ଏହାର ମରାମତି ପ୍ରତି ଦୃଷ୍ଟି ନ ଦେବା ଚିନ୍ତାର କାରଣ ପାଲଟିଛି ।
ପେଜଗଳା ଚଟାଣ ଏହି ରାସ୍ତା ଉପରେ ପଡ଼ୁଥିବାରୁ ବର୍ଷା ଦିନେ ଚଟାଣରେ ୨ ରୁ ୩ ଫୁଟ ପାଣି ପ୍ରବାହିତ ହୁଏ । ସେହି ସମୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ୨୦୧୬ରେ ୫୦ କୋଟି ବ୍ୟୟରେ ୫ଟି ପୋଲ ନିର୍ମାଣ ହୋଇଥିଲା। ତାହା ବି ବିପଦସଙ୍କୁଳ ଅବସ୍ଥାରେ।