କନକ ବ୍ୟୁରୋ : ବୃତ୍ତି ଆଗରେ ବନ୍ଧା ପଡ଼ିଛି ଜୀବନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସିଲିକୋସିସ୍ ରୋଗୀ । ଖଣି ଅଞ୍ଚଳ ହେଉ ଅବା ସିମେଣ୍ଟ କାରଖାନା କିମ୍ବା କ୍ରସର ପାଖରେ କାମ କରୁଥିବା ଲୋକ ସିଲିକୋସିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ବି ମିଳିପାରିନାହିଁ ସରକାରୀ ସହାୟତା ।
କୋଟି କୋଟି ଟଙ୍କାର ରାଜସ୍ୱ ଦେଉଛି ଖଣି । ଶିଳ୍ପପତି ସମେତ ବଡ଼ ବଡ଼ କମ୍ପାନି ହେଉଛନ୍ତି ଲାଭବାନ । କିନ୍ତୁ ଏହି ପରିବେଶରେ କାମ କରୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । କାରଣ ଏହି ପରିବେଶ ହେଉଛି ସିଲିକୋସିସ୍ ରୋଗ । ରାଜଗାଙ୍ଗପୁରସ୍ଥିତ ଚୂନପଥର ଖଣିରେ ୧୬ ବର୍ଷ ଧରି ଶ୍ରମିକ ଭାବେ କାମ କରୁଥିଲେ ୬୬ ବର୍ଷୀୟ ବିଶ୍ବନାଥ ବାରିକ । ଗତ ୪ ବର୍ଷ ହେବ ସେ ସିଲିକୋସିସ୍ ରୋଗରେ ଆକ୍ରାନ୍ତ । ବୁର୍ଲାର ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଏହା ଚିହ୍ନଟ ହୋଇଛି । ସିଲିକୋସିସ୍ ପରେ ବଦଳିଯାଇଛି ଜୀବନ । ଦୈନିକ ୫ରୁ ୬ ଘଣ୍ଟା ଧରି ଅକ୍ସିଜେନରେ ରହିବା ସହ ନେବୁଲାଇଜର ନେବାକୁ ବାଧ୍ୟ ହେଉଛନ୍ତି । ବଢ଼ିଚାଲିଛି ଚିକିତ୍ସା ଖର୍ଚ୍ଚ ।
ଆରଟିଆଇ ତଥ୍ୟ କହୁଛି ଗତ ୧୧ ବର୍ଷ ମଧ୍ୟରେ କଟକ ଏସ୍ସିବିରେ ୧୪୮ ଜଣ ସିଲିକୋସିସ୍ରେ ଚିକିତ୍ସିତ ହୋଇଛନ୍ତି । ୭୪ ଜଣ ସିଲିକୋସିସ୍ ସହିତ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବୁର୍ଲା ଭିମ୍ସାରରେ ୫ଜଣ ଚିକିତ୍ସିତ ହୋଇଛନ୍ତି । କିନ୍ତୁ କାହାରି ପାଖରେ ମୃତ୍ୟୁର ତଥ୍ୟ ନାହିଁ। ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ମାରାତ୍ମକ ରୋଗ । ଖଣି ଅଞ୍ଚଳ ହେଉ ଅବା କ୍ରସର ପାଖରେ କାମ କରୁଥିବା ଲୋକ, ସିମେଣ୍ଟ କାରଖାନା କିମ୍ବା ମାର୍ବଲ କାଟିବା ବା ପଲିସ୍ କାମ କରୁଥିବା ଲୋକ ସିଲିକୋସିସ୍ରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି । ରାଜ୍ୟ ମାନବାଧିକାର କମିସନରେ ବି ପହଞ୍ଚିଛି ସିଲିକୋସିସ୍ ମାମଲା । ରାଜ୍ୟରେ ସିଲିକୋସିସ୍ ରୋଗରେ କେତେଜଣ ପୀଡ଼ିତ ଅଛନ୍ତି? ଚିକିତ୍ସା ନେଇ କିଛି ବ୍ୟବସ୍ଥା ଅଛି କି ? ଆର୍ଥିକ ସହାୟତାର କିଛି ବ୍ୟବସ୍ଥା ରହିଛି କି ? ଏ ସମ୍ପର୍କରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛି କମିସନ ।