କନକବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ଜୀବନ ପ୍ରତି ବିପଦ ବଢୁଛି । ଅଭିନେତାଙ୍କ ହତ୍ୟା ପାଇଁ ସାଂଘାତିକ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ଏବେ ମୁମ୍ବାଇ ପୋଲିସ । ହରିୟାଣାର ପାନିପତରୁ ଅଭିଯୁକ୍ତକୁ ଉଠାଇ ଆଣିଛି ମୁମ୍ବାଇ ପୋଲିସ। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ପାନିପତର ରେଳ କଲାଂ ଗାଁର ସୁଖା ।
ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଖାର ଚିକିତ୍ସା କରିବା ପରେ ତାକୁ ମୁମ୍ବାଇ ନେଇଛି ପୋଲିସ । ପୋଲିସର ସୂଚନା ଅନୁସାରେ, ସୁଖା ଉପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାଇବାର ଅଭିଯୋଗ ଥିଲା । ଗିରଫ ପରେ ଆଜି ସୁଖାକୁ କୋର୍ଟରେ ହାଜର କରାଯିବ। ସଲମାନଙ୍କୁ ହତ୍ୟା କରିବା ପାଇଁ ସୁଖା ୨ ମାସ ପୂର୍ବରୁ ପ୍ଲାନ କରିଥିଲା । ସଲମାନ ଯିବା ଆସିବା କରୁଥିବା ନଭୀ ମୁମ୍ବାଇ ରାସ୍ତାକୁ ରେକି କରି ଚିହ୍ନଟ ବି କରୁଥିଲା ସୁଖା ।
ଗତ ଏପ୍ରିଲରେ ସଲମାନଙ୍କ ଗ୍ୟାଲାକ୍ସି ଆପାର୍ଟମେଣ୍ଟ ହୋଇଥିବା ଗୁଳିକାଣ୍ଡ ପଛରେ ବି ସୁଖାର ଯୋଜନା ଥିବା ସନ୍ଦେହ କରୁଛି ପୋଲିସ । ଏ ପୁରା ଷଡଯନ୍ତ୍ର ପଛରେ ବଷ୍ନୋଇ ଗ୍ୟାଙ୍ଗ ଓ ସମ୍ପତ ନେହେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରୁଛି ପୋଲିସ । ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ ଘଟଣାରେ ପୂର୍ବରୁ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସୁଖା ହେଉଛି ୩ ନମ୍ବର ଅଭିଯୁକ୍ତ ।
ସେପଟେ ସୁଖା ଗିରଫ ରେ ତଦନ୍ତକାରୀ ବିଭାଗ ଆହୁରି ମଧ୍ୟ ସତର୍କ ହୋଇଯାଇଛି । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଆଲର୍ଟ ହୋଇଛି ମୁମ୍ବାଇ ପୋଲିସ । ବିଷ୍ଣୋଇ ଗ୍ୟଙ୍ଗର ସବୁ ଲୋକଙ୍କ ଉପରେ କଡା ନଜର ରଖିଛି ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ଅଭିନେତା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଗତକାଲି ତାଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି।