କନକ ବ୍ୟୁରୋ : ବିଜେପି ନେତାଙ୍କୁ ହାଇୱା ଗାଡ଼ି ଚଢାଇ ନିର୍ମମ ହତ୍ୟା । ଦୁର୍ଘଟଣାରେ ୨ ବିଜେପି ନେତାଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଚିପିଲିମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।
ବିଜେପି ନେତାଙ୍କୁ ଫିଲ୍ମ ଷ୍ଟାଇଲରେ ହତ୍ୟା । ରାସ୍ତାକଡରେ ପଡିଥିବା କାର ବୟାନ କରୁଛି ଭୟଙ୍କର ଦୁର୍ଘଟଣାର କାହାଣୀ । ସମୟ ରାତି ୧ଟା, ସ୍ଥାନ ସମ୍ୱଲପୁର-ବରଗଡ ରାଜରାସ୍ତା । ବିଜେପି ନେତାଙ୍କ କାରକୁ ପିଛା କଲା ଏକ ହାଇୱା । ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ ଚିପିଲିମା ନିକଟରେ ଦୁଇ ଦୁଇ ଥର ପଛରୁ କାରକୁ ଧକ୍କା ଦେଲା ହାଇୱା । ଭୟରେ କାର ଚାଳକ କଚ୍ଚା ରାସ୍ତାକୁ ଓହ୍ଲାଇ ଯାଇଥିଲା ।
ତଥାପି ଗୋଡ଼େଇ ନେଇ ହାଇୱା ଧକ୍କା ଦେବାରୁ କାର ଓଲଟି ପଡିଥିଲା । ଦୁର୍ଘଟଣାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିବା ପରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି ।
ଶନିବାର ରାତିରେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କୁ ଭେଟି ଭୁବନେଶ୍ୱରରୁ କାରରେ ଚିପିଲିମା ଫେରିବା ବେଳେ ହାଇୱା ଧକ୍କାରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଛି । ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ନାଉରୀ ନାୟକ ପୁରା ଘଟଣାର ତଦନ୍ତ ଦାବି କରିଛନ୍ତି ।
ଦୁର୍ଘଟଣାର ପୁରା କାହାଣୀ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତିନି ଥର କାରକୁ ହାଇଧକ୍କା ଦେବା ସନ୍ଦେହ ବଢ଼ାଉଛି । ବିଜେପି ନେତାଙ୍କୁ ଗାଡ଼ି ଚଢାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି କି ? କିନ୍ତୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହେଉ ନାହିଁ ? ଅନ୍ୟପଟେ ହାଇୱା ଡ୍ରାଇଭର ଆତ୍ମସମର୍ପଣ କରିବା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି ।