କନକ ବ୍ୟୁରୋ: ରାସନ ସହ ଆଧାର ଅପଡେଟକୁ ନେଇ ଚିନ୍ତାରେ ଅଛନ୍ତି କି? ଆପଣଙ୍କ ମନରେ ରାସନ କାର୍ଡ କଟିଯିବାର ଭୟ ଅଛି କି? ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ସରକାର ଆପଣଙ୍କ ଏହି ଚିନ୍ତାକୁ ଦୂର କରିଦେଇଛନ୍ତି । ଆଉ ରାସନ କାର୍ଡ ସହ ଆଧାର ଲିଙ୍କର ସମୟ ସୀମାକୁ ବଢାଇଦେଇଛନ୍ତି ।
ବର୍ତ୍ତମାନ ସମୟରେ ରାସନକାର୍ଡକୁ ନେଇ ଚାଲିଥିବା ଅପଡେଟ ପାଇଁ ଚିନ୍ତାରେ ସାଧାରଣ ଜନତା । କାରଣ ରାସନ କାର୍ଡ ଅପଡେଟ୍ ନହେଲେ ଅନେକ ଅସୁବିଧାରେ ପଡିଥାନ୍ତି ଲୋକେ । ତେବେ ରାସନକାର୍ଡକୁ ନେଇ ସବୁଠାରୁ ବଡ଼ କାମ ହେଉଛି ରାସନ କାର୍ଡରେ ଆଧାରକାର୍ଡ ଲିଙ୍କ କରିବା । ଯଦି ଆପଣ ଏହା କରିନାହାନ୍ତି ତେବେ ଆପଣଙ୍କୁ ରାସନ ମିଳିନପାରେ । ତେବେ ଏହି ଟେନସନ ଭିତରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ ।
ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେଓ୍ୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା । ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେଓ୍ୱାଇସି କରାଇବା ବଧ୍ୟତାମୂଳକ ରହିଥିଲା । ତେଣୁ ଏହାକୁ ଆଖିଆଗରେ ରଖି ଏହି ଡେଡ୍ ଲାଇନକୁ ଜୁନ୍ ୩୦ ଯାଏଁ ବଢାଇଦିଆଯାଇଛି । କୁହାଯାଇଛି କି, ଯଦି ଜୁନ ୩୦ ଯାଏଁ ରାସନରେ ଥିବା ସଦସ୍ୟଙ୍କ ଇକେଓ୍ୱାଇସି ବା ଆଧାର ଲିଙ୍କ ହୋଇନାହିଁ । ତେବେ ରାସନରେ ତାଙ୍କ ନାଁକୁ କାଟି ଦିଆଯିବ ।
ତେବେ ରାସନକାର୍ଡ ସହ ଆଧାର ଲିଙ୍କ କରାଇବା ପାଇଁ କାହିଁକି ଏତେ ତତ୍ପର ସରକାର । କାରଣ ରାସନ ସହ ଆଧାର ଲିଙ୍କ ହୋଇଗଲେ ନକଲି ରାସନ କାର୍ଡ ଗୁଡିକ ଧରାପଡିଯିବ ବା କଟିଯିବ । ଏହାଦ୍ବାରା ଉଚିତ ଲାଭାର୍ଥୀ ଏହାର ଲାଭ ପାଇପାରିବେ । ତେବେ ଯେଉଁମାନେ ଏବେ ଯାଏଁ ନିଜ ରାସନକାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ସେମାନେ ଶୀଘ୍ର ଏହି ପ୍ରକ୍ରିୟାକୁ ପୂରା କରିନିଅନ୍ତୁ ।
ଯୋଗ୍ୟ ହିତାଧିକାରୀ ନିଜର ନିକଟତମ ରାସନ ସେଣ୍ଟର କିମ୍ୱା କମନ ସର୍ଭିସ ସେଣ୍ଟରକୁ ଯାଇ ରାସନ ସହ ଆଧାର ଲିଙ୍କ କରିପାରିବେ । ଏଥିପାଇଁ ରାସନ କାର୍ଡ ଓ ଆଧାରକାର୍ଡ ନେଇ ଆପଣ ପିଡିଏସ ସେଣ୍ଟରକୁ ଯିବେ, ଯେଉଁଠି ପଞ୍ଚ ମେସିନରେ ଏହି କାମ କରାଯାଉଥିବ ।
ସୂଚନା ଥାଉକି,ବିଭିନ୍ନ ସମୟରେ ରାସନକାର୍ଡଧାରୀମାନେ ସେମାନଙ୍କ ପରିବାରର କାହାର ମୃତ୍ୟୁ ହୋଇଗଲେ ମଧ୍ୟ ସେମାନେ ରାସନ କାର୍ଡରୁ ନାମ କାଟିବାକୁ ଆବେଦନ କରିନଥାନ୍ତି । ଏହାସହ ପରିବାରର ଝିଅ ବାହାଘର ହୋଇଯାଇଥିଲେ ମଧ୍ୟ ପରିବାର ଲୋକେ ତା ନାମରେ ରାସନ ସାମଗ୍ରୀ ଉଠାଇଥାନ୍ତି । ଏସବୁ ଉପରେ ରୋକ ଲଗାଇବା ଓ ପ୍ରକୃତ ହିତାଧିକାରୀଙ୍କୁ ରାସନ ବାଣ୍ଟିବା ପାଇଁ ସରକାର ଏବେ ରାସନ କାର୍ଡ ସହ ଆଧାରକାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି ।