କନକ ବ୍ୟୁରୋ: ସିଡିଏ ସେକ୍ଟର-୯ ଅଞ୍ଚଳରେ ବନ୍ଦ ଘରୁ ଜଣେ ଅଧ୍ୟାପିକାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଅଧ୍ୟାପିକା ହେଉଛନ୍ତି ପଶ୍ଚିମବଙ୍ଗର ଅନନ୍ୟା ଚକ୍ରବର୍ତ୍ତୀ ।
ଅନନ୍ୟା କଟକ ସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଥିଲେ । ସେ ୧୦ ବର୍ଷ ଧରି ଏଠାରେ କାର୍ଯ୍ୟରତ ଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ତଦନ୍ତ କରୁଛି ପୋଲିସ । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡିବ ମୃତ୍ୟୁର କାରଣ । ଅଧ୍ୟାପକିକାଙ୍କ ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଗତକାଲି ଦିନ ପାଖାପାଖି ୧ଟା ସୁଦ୍ଧା ଅନନ୍ୟାଙ୍କ ସହକର୍ମୀ ତାଙ୍କୁ କଲ କରିଥିଲେ । କିନ୍ତୁ କେହି ଫୋନ୍ ଉଠାଇନଥିଲେ । ଏନେଇ ସନ୍ଦେହ ହେବାରୁ ସହକର୍ମୀ ଜଣକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ଦେଖିବା ବେଳକୁ ଘର ଭିତରୁ ବନ୍ଦ ଥିଲା । କବାଟ ଭାଙ୍ଗି ଦେଖିବାବେଳେକୁ ଅନନ୍ୟା ଅଚେତ ଅବସ୍ଥାରେ ରୁମରେ ପଡିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।