କନକ ବ୍ୟୁରୋ : ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆ ବାଘର ମୃତ୍ୟୁ, ୩ଦିନ ପରେ ସୂଚନା ପାଇଁ ଘଟଣା ସ୍ଥଳରେ ପହଁଚି ବନ ବିଭାଗର ତଦନ୍ତ ଆରମ୍ଭ । ଜଣକୁ ଅଟକ ରଖି ପଚରା ଉଚରା କରାଯାଉଥିବା ସୂଚନା । ନୟାଗଡ଼ ଖଣ୍ଡପଡା ସାପୁଆ ସଂରକ୍ଷିତ ଜଙ୍ଗଲରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବୁଢୀଝରି ଠାରୁ ୧ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ବାଘର ଗଳିତ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ । ଫରେଷ୍ଟର କୈଳାସ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଜଙ୍ଗଲକୁ ଯାଇ ବାଘର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ବାଘର ମୃତଦେହ ନିକଟରେ ଏକ ବାରହାର ମୃତଦେହ ମଧ୍ୟ ଠାବ କରାଯାଇଛି । ବାଘର ମୁଣ୍ଡ ନଷ୍ଟ ହୋଇଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ୍ନ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କଲରାପତରିଆ ବାଘଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ବାରହାକୁ ଫାଶରେ ପକାଇ କଲରାପତରିଆ ବାଘକୁ ଗୁଳିକରି ଶିକାର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଫରେଷ୍ଟରଙ୍କୁ ପଚରାଯିବାରୁ ଡିଏଫଓ ଏ ପ୍ରସଙ୍ଗରେ ସୂଚନା ଦେବେ କହି ଏଡ଼ାଇ ଯାଇଛନ୍ତି ରେଞ୍ଜର ଉଦିତ ପ୍ରଧାନ ।