କନକ ବ୍ୟୁରୋ : ସରୁନି ଦୁଃଖ, ଥମୁନି ଯନ୍ତ୍ରଣା । ସମୟ ଗଡୁଛି କିନ୍ତୁ ଦବଳୁନି ଚିତ୍ର । କେତେବେଳେ ଆମ୍ବୁଲାନ୍ସର ଅଭାବ ତ କେତେବେଳେ ରାସ୍ତା ସମସ୍ୟା ଦାନମାଝୀ ଘଟଣାକୁ ମନେ ପକାଇ ଦେଉଛି । ସେବେ ଶବକୁ କାନ୍ଧରେ ବୋହି ନେବା ଘଟଣା ସାରା ଭାରତରେ ଚର୍ଚ୍ଚାକୁ ଆସିଥିଲା । ଆଉ ଏବେ ଆସିଛି ରାସ୍ତା ନଥିବାରୁ ବାଇକରେ ଶବ ବୁହା ହେବା ଖବର ।

Advertisment

ଗାଁକୁ ଭଲ ରାସ୍ତା ନଥିବାରୁ ୬ କିଲୋମିଟର ବାଟ ବାଇକରେ ବୋହି ଶବ ନେଲେ ସମ୍ପର୍କୀୟ । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁକୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଯୁ ଗାଁରେ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତ କାଚପାଜୁ ଗ୍ରାମର ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଅଡେଣିଗଡ଼ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ପରିବାର ଲୋକେ ।

ବୁଧବାର ଦିନ ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମହାପ୍ରୟାଣ ଯୋଗେ ନିଜ ବାସଭବନକୁ ଆଣୁଥିବା ବେଳେ କାଚପାଜୁ ଗ୍ରାମ ଠାରୁ ୬କିଲୋମିଟର ଦୂରରେ ଗାଡି ଆଗକୁ ଆସି ପାରି ନଥିଲା । ରାସ୍ତା ନିର୍ମାଣ କାମ ଚାଲୁଥିବାରୁ ମହାପ୍ରଣାୟ ଗାଡ଼ି ଆଗକୁ ଯିବା ଅସମ୍ଭବ ହୋଇଥିଲା । ଫଳରେ ମୃତଦେହକୁ ପରିବାର ଲୋକେ ଅତି ଯନ୍ତ୍ରଣାର ସହ ଏକ ବାଇକରେ ଦୀର୍ଘ ୬ କିମି ପାହାଡ଼ିଆ ଘାଟି ରାସ୍ତାରେ ଗାଁକୁ ନେଇଥିଲେ ।

ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡନ ଖେଳିଯାଇଥିବା ବେଳେ ପ୍ରଶାସନ ଓ ସରକାରଙ୍କ ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ବାଚନ ଆସିଲେ ଭୋଟ ପାଇଁ ଅନେକ ପ୍ରତିଶ୍ରୁତି ରାଜନେତା ଦେଉଥିବା ବେଳେ ଆଜି ଯାଏଁ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । କେବେ ଏ ସମସ୍ୟାର ସମାଧାନ ହେବ ସେନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଗ୍ରାମବସୀ ଦାବି କରିଛନ୍ତି ।