କନକ ବ୍ୟୁରୋ: ସମ୍ବଲପୁରରେ ପାଇଖାନା ଟାଙ୍କିରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ପାଇଖାନା ଟାଙ୍କିରେ ମୃତଦେହ ପଡ଼ିଥିବା ଦେଖି ଲୋକ ପୁଲିସକୁ ଜଣାଇଥିଲେ । ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର ପରେ ତଦନ୍ତ କରୁଛି ।
ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିରେ ଏହି ଘଟଣା ଘଟିଛି । ଏଠାରେ ଏକ ପାଇଖାନା ଟାଙ୍କିରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତବ୍ୟକ୍ତି ହେଲେ ସ୍ଥାନୀୟ ଅଞ୍ଚଳର ଶେଖ୍ ହୁସେନ । ସେ କବାଡ଼ିବାଲା ଭାବରେ କାମ କରୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ । ଆଜି ସକାଳୁ ତାଙ୍କ ଟ୍ରଲିଟି ଦେଖିବାକୁ ମିଳିଥିଲା । ଖୋଜାଖୋଜି ପରେ ନିକଟସ୍ଥ ଏକ ପାଇଖାନା ଟାଙ୍କିରୁ ହୁସେନ୍ଙ୍କ ମୃତଦେହ ମିଳିଛି । ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ସିସିଟିଭି ଯାଞ୍ଚ କରୁଛି ପୁଲିସ
ହୁସେନଙ୍କ ମୃତ୍ୟୁର କାରଣ ଜାଣିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି । ହୁସେନଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦିଆଯାଇଛି ? ନା ମୃତ୍ୟୁ ପଛରେ ଆଉକିଛି କାରଣ ରହିଛି ? ହତ୍ୟା ଅଭିଯୋଗ କରୁଥିବା ପରିବାର ଲୋକ ଅଭିଯୁକ୍ତକୁ ଧରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ସମ୍ୱଲପୁରରେ ହୋଲିଦିନ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପାଇଖାନା ଟାଙ୍କିରୁ ଜଣଙ୍କ ମୃତଦେହ ମିଳିବା ପରେ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।