କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପାଖକୁ ଏକ ପାର୍ସଲ ଆସିଥିଲା । ହେଲେ ପାର୍ସଲ ଖୋଲିବା ବେଳକୁ ତା ଭିତରେ ଏକ ଶବ ଥିବାର ଦେଖିବାକୁ ମିଳିଥିଲା । କେବଳ ଶବ ନୁହେଁ ପାର୍ସଲ ଭିତରେ ଏକ ଚିଠି ମଧ୍ୟ ଥିଲା । ଏହି ଚିଠିରେ ପାର୍ସଲ ପଠାଇଥିବା ଲୋକ ୧ କୋଟି ୨୫ ଲକ୍ଷ ଟଙ୍କା ଦାବି କରିଛି । ଏନେଇ ମହିଳା ଜଣଙ୍କ ପୋଲିସରେ ଅଭିଯୋଗ କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଅଭିଯୋଗକାରୀ ଅଦନାନ ନଇମ ଅସମୀ କହିଛନ୍ତି ଏହି ପାର୍ସଲ ଗୁରୁବାର ରାତିରେ ମିଳିଥିଲା । ଯେଉଁ ପାର୍ସଲ ଭିତରେ ଏକ ଶବ ସହ ଚିଠି ରହିଥିଲା । ଚିଠିରେ ପରିବାର ଲୋକଙ୍କୁ ୧ କୋଟି ୩୦ ଲକ୍ଷ ଟଙ୍କା ଡିମାଣ୍ଡ କରାଯାଇଛି ।
ଘଟଣାକୁ ନେଇ ପୋଲିସ କହିଛି କି, ଏହି ପାର୍ସଲ କୌଣସି ଆମ୍ବୁଲାନ୍ସ କି କାର ନୁହେଁ ବରଂ ଏକ ଅଟୋ ରିକ୍ସା ମାଧ୍ୟମରେ ଡେଲିଭରି କରାଯାଇଛି । ଏବେ ପୋଲିସ ପାର୍ସଲ କିଏ ଓ କେଉଁଠୁ ପଠାଇଛି ତାହା ଉପରେ ଖୋଳତାଡ କରୁଛି । ସେପଟେ ପାର୍ସଲକୁ ଦେଖିବା ପାଇଁ ଲୋକଙ୍କର ଭିଡ ଲାଗିଛି ।