କନକ ବ୍ୟୁରୋ: ଆଜିକାଲି ମୋବାଇଲ ଫୋନ୍‌ରେ ଆମେ ଭାରି ବ୍ୟସ୍ତ । ଦିନଠୁ ରାତି, ସଂଧ୍ୟାଠୁ ସକାଳ ଯାହା ହାତରେ ଦେଖିବେ ମୋବାଇଲ୍‌ ଫୋନ୍‌ । ସ୍ଥିତି ତ ଏମିତି ହୁଏ  ବେଳେ ମୋବାଇଲ୍‌ ଫୋନ୍‌ ବିନା ଆମେ ବଂଚିପାରିବା ନାହିଁ ବୋଲି ଅନେକ କୁହନ୍ତି । ଖାସ କରି ସ୍କୁଲର ଛାତ୍ରୀ ଜଣକ ଏମିତି କଲେ ଯାହାଦ୍ବାରା ସରକାର ମୋବାଇଲ୍‌ ଫୋନ୍‌ ବ୍ୟାନ୍‌ରେ କରିବାକୁ ବାଧ୍ୟ ହେଲେ । ଖାଲି ବ୍ୟାନ କରିଛନ୍ତି ତାହା ନୁହେଁ ବରଂ ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । 

Advertisment

ମୋବାଇଲର ମାୟା ଜାଲରେ ଏବେ ସ୍କୁଲ ପିଲା । ଅବଶ୍ୟ କରୋନା କାଳରେ ଯେବେଠୁ ଅନଲାଇନ୍‌ରେ କ୍ଲାସ୍‌ ଆରମ୍ଭ ହେଲା ସେବେଠୁ ଏହି ଅଭ୍ୟାସ ଧିରେ ଧିରେ ପିଲାଙ୍କର ବଢିଗଲା । ସ୍ଥିତି ଏମିତି ହେଲା କି ମୋବାଇଲ ବିନା ପିଲାଏ ପାଠପଢିବା ବି ବନ୍ଦେ କଲେ । ହେଲେ ଗୁଜୁରାଟ୍‌ରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଅଭିଭାବକଙ୍କ ଲାଗି ସତର୍କ ଘଣ୍ଟି ପରି ହୋଇଛି । କାରଣ, ମୋବାଇଲ ଫୋନ୍‌ ଲାଗି ଜଣେ ୧୪ ବର୍ଷୀୟ ଛାତ୍ରୀ ଜୀବନ ହାରିଛନ୍ତି । ସୂଚନା ଅନୁସାରେ, ଗୁଜୁରାଟ୍‌ ସୁରଟ୍‌ର ୮ମ ଶ୍ରେଣୀରେ ପଢୁଥିଲା ଛାତ୍ରୀ ପ୍ରତି ମୁହୂର୍ତ୍ତରେ ମୋବାଇଲ ଫୋନ୍‌ ଦେଖୁଥିଲେ । ହେଲେ ମାଆ ଏ ନେଇ ବିରକ୍ତ ହେବା ସହିତ ଫୋନ୍‌ ତାଙ୍କଠାରୁ ଛଡ଼େଇ ନେଇଥିଲେ । ଯାହା ଲାଗି ଛାତ୍ରୀ ଜଣକ ଜୀବନ ହାରିଥିବା ନେଇ ଜଣାପଡ଼ିଛି ।

ସାମାନ୍ୟ ମୋବାଇଲ ଫୋନ୍‌ ପାଇଁ ଝିଅ ଜୀବନ ହାରିଦେଇଥିବାରୁ, ବାପା-ମାଆ ମାନସିକ ଭାବରେ ଭାଙ୍ଗି ପଡ଼ିଛନ୍ତି । ଘଟଣା ପୁରା ରାଜ୍ୟରେ ବ୍ୟାପିବା ପରେ ସ୍କୁଲରେ ମୋବାଇଲ ଫୋନ୍‌କୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ସରକାର ବିଚାର କରୁଛନ୍ତି । ସେପଟେ ଗୁଜୁରାଟ ଶିକ୍ଷାମନ୍ତ୍ରୀ ପ୍ରଫୁଲ୍ଲ ପାଶୋରିଆ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପରିବାରକୁ ସମବେଦନା ଜଣାଇବା ସହିତ ଆଗାମୀ ଦିନରେ ସ୍କୁଲରେ ମୋବାଇଲ ବ୍ୟାନ କରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି । ଏହାସହ ରାଜ୍ୟର ସବୁ ଅଭିଭାବକଙ୍କୁ କହିଛନ୍ତି, ପିଲାଙ୍କୁ ମୋବାଇଲ୍‌ ଫୋନ୍‌ ଆଦୌ ଦିଅନ୍ତୁ ନାହିଁ । ଏମିତିକି, ସ୍କୁଲରେ ଶିକ୍ଷକମାନେ ପିଲାଙ୍କ ସାମ୍ନାରେ ମୋବାଇଲ ବ୍ୟବହାର କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି । 

ଆଜିକାଲିର ପିଲାମାନେ ଯେଉଁ ପରି ଭାବରେ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ହଠାତ୍‌ ସେମାନଙ୍କଠାରୁ ମୋବାଇଲ୍‌ ଫୋନ୍‌ ନେଇଯିବା ପରେ ସେମାନେ ବିଚଳିତ ହେଉଥିବା ସହ ରାଗି ଯାଉଛନ୍ତି । ଯାହା ଏବେ ଅଭିଭାବକଙ୍କ ଲାଗି ଚିନ୍ତାର କାରଣ ପାଲଟିଲାଣି । ରିପୋର୍ଟରୁ ଜଣାପଡ଼ିଛି କି, ଅନେକ ସ୍କୁଲରେ ମୋବାଇଲ ଫୋନ୍‌ ଏଯାଏଁ ମନା ହୋଇନାହିଁ । ତେଣୁ ପିଲାମାନେ ସାଙ୍ଗରେ ମୋବାଇଲ୍‌ ଫୋନ୍‌ ନେବା ସହିତ ପାଠପଢା ହେଉଥିବା ସମୟରେ ବାରମ୍ବାର ନୋଟିଫିକେସନ୍‌ ଦେଖୁଛନ୍ତି । ଗେମ୍‌ ଖେଳି କେତେ ପିଲାମାନେ ଜୀବନ ହାରିଲେଣି ସେନେଇ ବି ଖବର ସାମ୍ନାକୁ ଆସିଛି । ତେଣୁ ଏଥିରୁ ଅନୁମାନ କରିପାରୁଥିବେ ପିଲାଙ୍କ ଲାଗି ମୋବାଇଲ ଫୋନ୍‌ କେତେ ମାରାତ୍ମକ । ଏଣୁ ଆପଣଙ୍କ ପିଲା ବି ଯଦି ମୋବାଇଲ୍‌ ଫୋନ୍‌ରେ ଅଭ୍ୟସ୍ତ ହେଲେଣି ତୁରନ୍ତ ସେମାନଙ୍କୁ କାଉନସେଲିଂ କରିବାର ଆବଶ୍ୟକତା ରହିଥିବା କୁହାଯାଉଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫୋନ୍‌ରେ ପିଲାମାନେ ଅନେକ ସମୟ ଧରି ମନୋରଂଜନ କରନ୍ତି ଏକଥା ଆମକୁ ଜଣା । ହେଲେ, ଏହି ମନୋରଂଜନ ଯେ ପିଲାଙ୍କ ଜୀବନ ପ୍ରତି ବିପଦ ସାଜିଲାଣି ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଖାସ କରି ଗୁଜୁରାଟର ଏହି ମାମଲା ପୁରା ଦେଶରେ ଚହଳ ସୃଷ୍ଟି କରିଛି ।