କନକ ବ୍ୟୁରୋ : ୨୦୨୪ ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଆବିଷ୍କାର ପାଇଁ ୩ଜଣଙ୍କ ନାମ ଘୋଷଣା କରାଯାଇଛି । ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ତରଫରୁ ବୁଧବାର ଦିନ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ଡେବିଡ୍ ବେକର, ଡେମିସ ହସାବିସ୍ ଓ ଜନ୍ ଏମ୍ ଜମ୍ପରଙ୍କ ନାମ ଘୋଷଣା କରାଯାଇଛି । ଏହି ୩ ଜଣ ବୈଜ୍ଞାନିକ ପ୍ରୋଟିନ ବିଜ୍ଞାନରେ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଆମେରିକାର ସିଏଟଲ ସ୍ଥିତ ୱାସିଂଟନ୍ ବିଶ୍ୱବିଦ୍ୟାଳୟର ଡେବିଡ୍ ବେକରଙ୍କୁ ‘କମ୍ୟୁଟେଶନଲ ପ୍ରୋଟିନ ଡିଜାଇନ’ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସେହିଭଳି ଲଣ୍ଡନର ଗୁଗୁଲ ଡିପମାଇଣ୍ଡର ଡେମିସ୍ ହସାବିସ୍ ଓ ଜନ୍ ଏମ୍ ଜମ୍ପରଙ୍କୁ ‘ପ୍ରୋଟିନ୍ ସରଞ୍ଚନା ଭବିଷ୍ୟବାଣୀ’ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ରସାୟନ ବିଜ୍ଞାନ ପାଇଁ ନୋବେଲ ସମିତିର ଅଧ୍ୟକ୍ଷ ହେନର ଲିଙ୍କେ କହିଛନ୍ତି ଯେ, ଏହି ବର୍ଷ ମାନ୍ୟତା ପାଇଥିବା ଆବିଷ୍କାରଗୁଡିକ ମଧ୍ୟରୁ ଗୋଟିଏ ଆବିଷ୍କାର ପ୍ରୋଟିନ ତିଆରି କରିବା ସମ୍ବନ୍ଧିତ ଅଟେ, ଯାହା ଅତ୍ୟନ୍ତ ଅଦ୍ଭୁତ ଓ ଅବିସ୍ମରଣୀୟ । ଦ୍ୱିତୀୟ ଆବିଷ୍କାର ୫୦ ବର୍ଷର ଏକ ପୁରୁଣା ସ୍ୱପ୍ନକୁ ସାକାର କରିବା ବିଷୟରେ । ଏହି ଆବିଷ୍କାରଗୁଡିକ କେବଳ ଜୀବ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ନୁହେଁ ବରଂ ଚିକିତ୍ସା, ଔଦ୍ୟୋଗିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ।