କନକବ୍ୟୁରୋ : ଡି.ଏ. ଭି ପବ୍ଲିକ୍ ସ୍କୁଲ୍, କାଂସବାହାଲ ପ୍ରାଙ୍ଗଣରେ ୭୯ ତମ ସ୍ବାଧୀନତା  ଦିବସ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା  ।  ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ରଶ୍ମି ସିହ୍ନା  ଉପସ୍ଥିତ ଥିଲେ। ବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

Advertisment

ଏହା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ତଥା ମୁଖ୍ୟ ଅତିଥି ଶ୍ରୀମତୀ ରୀନା ମହାପାତ୍ର ଦେଶର ମହାନ ବୀରମାନଙ୍କ ଜୀବନରୁ ପ୍ରେରିତ ହୋଇ ନିଜ ମାତୃଭୂମିର ସମ୍ମାନ ଓ ଅଖଣ୍ଡତାକୁ ବଜାୟ ରଖିବାପାଇଁ ଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ | ଦଶମ ଶ୍ରେଣୀର  ଛାତ୍ରୀ ଅନୁଷ୍କା କୁମାରୀ  ଆମ ଦେଶର ସ୍ବାଧୀନତା ଦିବସର  ମହତ୍ତ୍ୱ ଉପରେ ହିନ୍ଦୀ ଭାଷାରେ ଏକ ସୁନ୍ଦର ତଥା ଶକ୍ତିଶାଳୀ ଭାଷଣ ଏବଂ ଶିକ୍ଷକ ସୁବ୍ରତ କୁମାର ମହାନ୍ତି ଓଡ଼ିଆ ଭାଷାରେ ନିଜର ଅତି ସୁନ୍ଦର ବକ୍ତବ୍ୟ ଉପସ୍ଥାପନ କରି ବିଦ୍ୟାଳୟର ପ୍ରାଙ୍ଗଣକୁ ଦେଶପ୍ରେମର ଭାବନାରେ  ପରିପୂର୍ଣ୍ଣ କରିଥିଲେ।

ଏହା ପରେ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଦୀପକ ମାନ୍ନା  ଏବଂ ତାଙ୍କ ଦଳଦ୍ୱାରା ଏକ ସୁନ୍ଦର ଦେଶାତ୍ମବୋଧକ ଗୀତ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଦେଶଭକ୍ତି ଉପରେ ଆଧାରିତ ନୃତ୍ୟ ଓ କୌତୁକ ପୋଷାକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀମାନଙ୍କୁ ମେଡ଼ାଲ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।

ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମିଳିତ ସହଯୋଗରେ ଭାରତ ମ୍ୟାପ୍ ଗଠନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଚଳିତବର୍ଷ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ବିଦ୍ୟାଳୟ ଓ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଆଜିର ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଛାତ୍ରୀ ଚିତ୍ରା ସିଂ ଓ ଆସ୍ଥା ମିଶ୍ର ପରିଚାଳନା କରିଥିଲେ ଏବଂ ଶିକ୍ଷୟିତ୍ରୀ କରୁଣା ଜ୍ୟୋତିଷ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସମସ୍ତଙ୍କର ସଫଳ ଯୋଗଦାନ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଭାବରେ ବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ଶିକ୍ଷାର୍ଥୀଙ୍କ ସହଯୋଗ ସହିତ ଆଜିର କାର୍ଯ୍ୟକ୍ରମ ସଫଳ ହୋଇଥିଲା |