କନକ ବ୍ୟୁରୋ: ଆଜିକା ଦିନରେ ବି ଘରେ ପ୍ରଥମେ ଝିଅ ଜନ୍ମ ହେଲେ କିଛି ବାପା, ମାଆଙ୍କ ମନ ଫିକା ପଡ଼ିଯାଏ ।  ପୁଣି ଆଉ ଏକ ପୁଅ ଅପେକ୍ଷାରେ ଥାଆନ୍ତି । କିନ୍ତୁ ଆମ ଦେଶରେ ଏମିତି ବି ଏକ ଗାଁ ଅଛି ଯେଉଁଠି ଝିଅ ସର୍ବେସର୍ବା । ଯେଉଁ ଘରେ ଝିଅ ନାହାଁନ୍ତି ସେଠି ବୋହୂ ମାଲିକାଣୀ । ଆମେ କହୁଛୁ ଗୁଜୁରାଟର ପାଟିଦଡ଼ ଗାଁ କଥା । ଏ ଗାଁ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି , ଏଠିକା ଲୋକଙ୍କ ଉଚ୍ଚ ଚିନ୍ତାଧାରା ପାଇଁ ।

Advertisment

ଝିଅଙ୍କୁ କେବଳ ଗେହ୍ଲା କଲେ ହେବନି ସେମାନଙ୍କୁ ପିଲାବେଳୁ ଭଲ ଭାବେ ସଂସ୍କାର ଦେଇ , ଶିକ୍ଷା, ଦୀକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବୋଲି ଏହି ଗାଁର ଲୋକଙ୍କ ମତ । ଏହି ଚିନ୍ତାଧାରାକୁ  ପାଟିଦଡ଼ ଗାଁର ଲୋକେ ଭଲଭାବେ ବୁଝିଛନ୍ତି । ଆଉ ଘରର ଝିଅ ନାଁରେ ନିଜ ଘରର ନାମକରଣ ବି କରିଛନ୍ତି । ଏହି ଗାଁ କ୍ରମେ ପାଟିଦଡ଼ରୁ ଦିକ୍ରି (ଝିଅ) ଗାଁ ଭାବେ ପରିଚୟ ପାଇଛି ।

 ଯେତେବେଳେ ଆପଣ ନିଜ ଘରର   ନେମପ୍ଲେଟ୍ ତିଆରି କରିବାକୁ ବାହାରନ୍ତି କାହା ନାଁରେ ରଖନ୍ତି ସାଧାରତଃ ଘରର ମୁଖିଆ ମାନେ ହେଡ୍ ଅଫ୍ ଦି ଫ୍ୟାମିଲିଙ୍କ ନାଁରେ । ମାନେ ବାପା, ନହେଲେ ଜେଜେ. ବାପା । ନା ଘରର ଝିଅ ନାଁ ରେ ? ନୁହେଁ ନା । କିନ୍ତୁ  ପାଟିଦଡ଼ ଗାଁରେ ପୂରା ଅଲଗା ଛବି । ଛୋଟ ଗାଁଟିଏ । କିନ୍ତୁ ଏ ଗାଁ ଲୋକଙ୍କ ଚିନ୍ତାଧାର କିନ୍ତୁ  ବେଶ୍ ଉଚ୍ଚ ।ଗାଁର ଝିଅ ଓ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି ପାଇଁ ଏ ଗାଁ ଲୋକେ ପ୍ରତିଶ୍ରୁତିବଦ୍ଧ । ଆଖପାଖର ଲୋକେ ଗୋଲ୍ଡେନ୍ ଭିଲେଜ୍ ବୋଲି କୁହନ୍ତି ।

 ନାରୀ ସଶକ୍ତିକରଣ ପାଇଁ ଏ ଗାଁକୁ ୨୦୨୩ରେ ସମ୍ମାନୀତ କରାଗଲା । ଗାଁର ଯେଉଁ ଝିଅ ପାଠରେ ହେଉ ବା ଖେଳରେ ବା ଅନ୍ୟ କୌଣସି କ୍ଷେତ୍ରରେ ସଫଳତା ପାଏ ତା’ ନାଁରେ ଗାର ସାହିର ନାମକରଣ କରାଯାଏ ।  ଏଠାରେ ଝିଅମାନଙ୍କୁ ନେଇ ପଞ୍ଚାୟତ ଗଠନ କରାଯାଇଛି ଯେଉଁଠି ସେମାନଙ୍କ ମଧ୍ୟରେ ଥିବା ସମସ୍ୟା ଉପରେ ଆଲୋଚନା କରାଯାଏ ଏବଂ ସମାଧାନର ବାଟ ମଧ୍ୟ କଢ଼ାଯାଏ । 

ଗାଁ ପ୍ରତି ଏକ ଫାଇନାନ୍ସ କମ୍ପାନି ନିଜର ଆଗ୍ରହ ପ୍ରକାଶ କରି ସୁକନ୍ୟା ସମୃଦ୍ଧି ନାଁରେ ଏକ ଯୋଜନା ଆରମ୍ଭ କରିବା ସହ  ପ୍ରତି ଝିଅ ନାଁରେ ବ୍ୟାଙ୍କରେ ଜମା ଖାତା ଖୋଲିଛି  । ଏବଂ ତାର ଜନ୍ମ ଦିନରୁ ଟଙ୍କା ଜମା ରଖିବା କାମ ଆରମ୍ଭ ହୁଏ । ଘରର ପ୍ରକୃତ ସମ୍ପତ୍ତି ସମ୍ମାନ ଝିଅ, ଏବଂ ଝିଅ ଶିକ୍ଷିତ ହେଲେ ପୂରା ପରିବାର ଓ ଭବିଷ୍ୟତ ଶିକ୍ଷିତ ହେବ ଏକଥା ଏ ଗାଁର ଲୋକେ ଭଲଭାବେ ବୁଝିପାରିଥିବାବେଳେ ଅନ୍ୟମାନଙ୍କୁ ବୁଝିବାକୁ ପ୍ରେରଣା ଦେଉଛନ୍ତି ।