କନକ ବ୍ୟୁରୋ : ଖରା ଆରମ୍ଭରୁ ଲୋକଙ୍କୁ ଘାରୁଛି ପାଣି ଚିନ୍ତା । କେଉଁଠି ନଳକୂପ ଥାଇ ପାଣି ଆସୁନି ତ କେଉଁଠି ଘରକୁ ଘର ପାଇପ୍ ବିଛାଯାଇଛି କିନ୍ତୁ ପାଣି ନାହିଁ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଏଭଳି ଏକ ଗାଁ ଅଛି, ଯେଉଁଠି ବର୍ଷ ତମାମ୍‌ ଲାଗି ରହିଛି ପାଣି ସମସ୍ୟା । ପାଣି ପାଇଁ ହୋଇପାରୁନି ପୁଅ ବାହାଘର । ଗାଁକୁ ଝିଅ ଦେବାକୁ ଡରୁଛନ୍ତି ଲୋକେ ।  

Advertisment

ଏ କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ପାପଡାହାଣ୍ଡି ବ୍ଲକର ବଡ଼ବାର୍ଲି ଗାଁରୁ । ଜଳସଙ୍କଟ ଯୋଗୁଁ ଅବିବାହିତ ଅଛନ୍ତି ଗାଁର ଅଧିକାଂଶ ଯୁବକ । ଗାଁରେ ଅନ୍ୟ ସବୁ ସୁବିଧା ଥିଲେ ବି ବର୍ଷ ତମାମ୍ ପାନୀୟ ଜଳଯନ୍ତ୍ରଣା ଭୋଗୁଛନ୍ତି ୨୧୮ ଆଦିବାସୀ ଓ ଦଳିତ ପରିବାର । ପାଣି ପାଇଁ ଯିବାକୁ ପଡୁଛି ବହୁଦୂର। ତେଣୁ ଏଠାରେ ଝିଅ ବାହା ଦେବାକୁ ଡରୁଛନ୍ତି ବାପାମାଆ । ବାରମ୍ବାର ବାହାଘର ଲାଗୁଛି, ଆଉ ଭାଙ୍ଗି ଯାଉଛି ବୋଲି ଅଭିଯୋଗ ହୋଇଛି । 

ଶହେ ବର୍ଷର ବଡ଼ବାର୍ଲି ଗାଁର ଶୋଷ ମେଣ୍ଟାଉଛି, ଝରଣା ପାଣି । କାରଣ ଗାଁରେ ଥିବା ନଳକୂପରେ କେଉଁଠି ଶିକୁଳି ଝୁଲୁଛି ତ ଆଉ କେଉଁଠି ଅଚଳ । କେବଳ ଏତିକି ନୁହେଁ ଚକିତ କଲା ପରି କଥା ହେଉଛି, ପାନୀୟ ଜଳ ପ୍ରକଳ୍ପର ପାଣି ଟାଙ୍କି ବି ରହିଛି । ଘରକୁ ଘର ବିଛାଯାଇଛି ପାଇପ୍ । ତଥାପି, ପାଣି ବୁନ୍ଦାଏ ମିଳୁନାହିଁ । ତେଣୁ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପାହାଡ଼ି ଝରଣାରୁ ପାଣି ସଂଗ୍ରହ କରିଥାନ୍ତି ଗ୍ରାମବାସୀ । 

ଦୀର୍ଘ ଦିନର ସମସ୍ୟା,ହେଲେ ଶୁଣିବାକୁ କେହି ନାହିଁ। ନେତା ମନ୍ତ୍ରୀଙ୍କ ଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି ଫଳ ଶୂନ। ଅସହ୍ୟ ହୋଇ ଏବେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗାଁ ଲୋକେ। ଅନ୍ୟପଟେ ଏବେଠୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ସହ ମେ’ ୧୫ ସୁଦ୍ଧା ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ପାପଡାହାଣ୍ଡି ବିଡ଼ିଓ । ପୂର୍ବରୁ ମଧ୍ୟ ସରକାରୀ ବାବୁଙ୍କ ପ୍ରତିଶ୍ରୁତି ମିଳିଛି, କିନ୍ତୁ ସମାଧାନ ହୋଇନି। ଏବେ ପୁଣି ପ୍ରତିଶ୍ରୁତି। ଏତେ ପରେ ବି କେବେ ଜଳ ଯନ୍ତ୍ରଣାରୁ ମୁକୁଳିବେ ଗ୍ରାମବାସୀ ତାକୁ ହିଁ ଅପେକ୍ଷା ।