କନକ ବ୍ୟୁରୋ: ଏ କାହାଣୀ ସେ ବୋହୂର ଯିଏ ନିଜର ପ୍ରଥମ ସ୍ବାମୀକୁ ମାରିଲା ପରେ ବି ଶାନ୍ତି ହେଲାନି ଯେ ଦ୍ବିତୀୟ ବ୍ୟକ୍ତିଙ୍କୁ ବିବାହ କଲା , ହେଲେ ସେ ବି ବେଶି ଦିନ ନୁହେଁ । ଶେଷରେ ନିଜ ସ୍ବାର୍ଥ ପାଇଁ ନିଜ ଶାଶୁ ତଣ୍ଟି ଚିପି ହତ୍ୟା କଲା । ପୁଲିସ ଜେରା କରିବାରୁ ମାନିଲା ସବୁ ସତ । ଏହି ଘଟଣା ଏବେ ସାରା ଗ୍ବାଲିୟରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଗ୍ବାଲିୟରର ବାସିନ୍ଦା ୨୯ ବର୍ଷୀୟା ପୂଜା ଜାଟବଙ୍କୁ ଗିରଫ କରିଛି ଝାନ୍ସି ପୁଲିସ । ପୂଜାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ପୂଜାଙ୍କର ଭୟଙ୍କର ଅପରାଧର କାହାଣୀ । ପୂଜାଙ୍କ ପୂରା ଅପରାଧର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ୫ ବର୍ଷ ପୂର୍ବରୁ ପୂଜାଙ୍କ ବିବାହ ହୋଇଥିଲା । ଦିନେ ସ୍ବାମୀଙ୍କ ସହ ପୂଜାର ଝଗଡ଼ା ହେଲା ପୂଜା ରାଗିଯାଇ ତା’ର ସ୍ବାମୀକୁ ଗୁଳି କରିଦେଲା । ଏହି ମାମଲାରେ ଆଜିଯାଏଁ ପୂଜା କୋର୍ଟ କଚେରିର ଚକ୍କର କାଟୁଛି । ପରେ ପରେ କଲ୍ୟାଣ ନାମକ ଯୁବକ ସହ ପୂଜାର ପରିଚୟ ହୁଏ ଏବଂ ଏହି ପରିଚୟ ପ୍ରେମରେ ପରିଣତ ହୁଏ । ଦୁହେଁ ବିବାହ କରନ୍ତି । ହେଲେ ଦୁର୍ଭାଗ୍ୟ କିଛି ମାସରେ କଲ୍ୟାଣର ମୃତ୍ୟୁ ହୋଇଯାଏ । ଏତିକିରେ କଥା ସରେନି । ନିଜର ବିବାହିତ ଦେଢଶୂରଙ୍କ ସହ ରହିବାକୁ ଲାଗେ ଏହାକୁ ନେଇ ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ଲାଗେ । କିନ୍ତୁ ପୂଜା ଛାଡ଼ିବା ଜନ୍ତୁ ନଥିଲା । ୧୮ ଏକର ଜମିରୁ କଲ୍ୟାଣ ଭାଗ ୯ ଏକର ଜମି ପାଇଁ ଦାବି କଲା । ଏହାକୁ ନେଇ ଶାଶୁ ବିରୋଧ କରିବାରୁ ଶାଶୁଙ୍କୁ ବାଟରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲା । ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିଲା ନିଜ ସାନ ଭଉଣୀ ଓ ତା’ର ବୟଫ୍ରେଣ୍ଡକୁ । ଦିନେ ସୁଯୋଗ ଦେଖି ଘରେ କେହି ନଥିବାବେଳେ ପୂଜା ଓ ତାର ଭଉଣୀ ଓ ଭଉଣୀର ବୟଫ୍ରେଣ୍ଡ ସମସ୍ତେ ମିଶି ଶାଶୁ ମା’କୁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେବା ସହ ତଣ୍ଟି ଚିପି ହତ୍ୟା କରିଥିଲେ।
ହେଲେ ଯେଉଁଦିନ ଶାଶୁଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଦିନ ପୂଜା ଘରୁ ଗାଏବ ହୋଇଯିବାରୁ ପୁଲିସର ସନ୍ଦେହ ବଢ଼ିଥିଲା । ପୂଜାକୁ ଖୋଜି ବାହାର କରିଥିଲା ଏବଂ ଜେରା କରିଥିଲା, ପୁଲିସର ଜେରା ଏଭଳି ଥିଲା ଯେ ଡ଼ରିଯାଇ ସବୁ ସତ ଓଗାଳିଥିଲା ପୂଜା । ଜଣାପଡ଼ିଥିଲା ପୂଜାର ଭୟଙ୍କର ଅପରାଧର ପୂରା କାହାଣୀ ।