କନକ ବ୍ୟୁରୋ: ଶ୍ୱଶୁର ଘର ଦଖଲ କରିପାରିବେନି ବୋହୂ । ବିହାରର ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ । ଶ୍ୱଶୁର ଘର ଉପରେ ବେଆଇନ ଭାବରେ କବଜା କରିଥିଲେ ଜଣେ ମହିଳା । ଏହାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିହାରର ଏକ ବୃଦ୍ଧ ଦମ୍ପତି । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆଜି ଏହାର ରାୟ ପ୍ରକାଶ କରିବା ସହ ଶ୍ୱଶୁର ଘର ସମ୍ପତ୍ତି ଉପରେ ବୋହୂର ଅଧିକାର ସମ୍ପର୍କରେ ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ ।  

Advertisment

ବିହାରର ମୁଜାଫରପୁରରୁ ଶ୍ୱଶୁର ଘର ସମ୍ପତ୍ତି ଦଖଲ ପାଇଁ ଏକ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହି ମାମଲାରେ, ଜଣେ ମହିଳା ଶାଶୂ ଏବଂ ଶ୍ୱଶୁରଙ୍କ ଘର ଅଧିକାର ଦାବି କରିଥିଲେ । କିନ୍ତୁ ଶାଶୂ ଏବଂ ଶ୍ୱଶୁରଙ୍କୁ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଛି । ସୁପ୍ରିମକୋର୍ଟ ବୋହୂଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ମୁଜାଫରପୁର ଜିଲ୍ଲାର ସଦର ଥାନା ଅଞ୍ଚଳର ଦିଘରାରେ ଶାଶୂ ଏବଂ ଶ୍ୱଶୁରଙ୍କ ଘର ଦଖଲ କରିଥିବା ବୋହୂଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । 

ସର୍ବୋଚ୍ଚ କୋର୍ଟ ପାଟନା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି । ସୁପ୍ରମକୋର୍ଟ କହିଛନ୍ତି ଯେ ମହିଳାଙ୍କୁ ତାଙ୍କ ସ୍ୱାମୀ ଦେଇଥିବା ବିକଳ୍ପ ବାସସ୍ଥାନରେ ରହିବାକୁ ପଡ଼ିବ । ବୋହୂ ତାଙ୍କ ଶାଶୂ ଏବଂ ଶ୍ୱଶୁରଙ୍କ ପୈତୃକ ଘରକୁ ଦେଢ଼ ବର୍ଷ ପୂର୍ବେ ଜୋରଜବରଦସ୍ତ ଦଖଲ କରିନେଇଥିଲେ । ଯାହାର ସିସିଟିଭି ଫୁଟେଜ ମଧ୍ୟ ରହିଥିଲା । ଏହି ସମସ୍ତ କାଣ୍ଡ ପୁଲିସର ଉପସ୍ଥିତିରେ ହୋଇଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।  


ପ୍ରାୟ ଦେଢ଼ ବର୍ଷ ପୂର୍ବେ ଏକ  ପାରିବାରିକ ବିବାଦରେ, ବୋହୂ ପୁଲିସ ଉପସ୍ଥିତିରେ ତାଙ୍କ ଶ୍ୱଶୁର ଘର ଉପରେ ବେଆଇନ ଭାବରେ କବ୍‌ଜା କରିଥିଲେ । ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା । ନିମ୍ନ ଅଦାଲତ ପୀଡିତ ଶ୍ୱଶୁର ଘର ସପକ୍ଷରେ ରାୟ ଦେଇଥିଲେ ଏବଂ ବୋହୂକୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ବୋହୂ କୋର୍ଟର ଆଦେଶକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟକୁ ଯାଇଥିଲେ । କିନ୍ତୁ  ମହିଳା ଜଣକ ହାଇକୋର୍ଟରେ ମଧ୍ୟ ହାରିଯାଇଥିଲେ । ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ମହିଳାଙ୍କ ତାଙ୍କ ଶ୍ୱଶୁରଙ୍କ ଘର ଦଖଲ କରିବାର କୌଣସି ଅଧିକାର ନାହିଁ । ତାଙ୍କୁ ଘର ଖାଲି କରିବାକୁ ପଡ଼ିବ । 

ମହିଳା ଜଣକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  କିନ୍ତୁ କୋର୍ଟରେ ପ୍ରଥମ ଶୁଣାଣିରେ ହିଁ ଆବେଦନ ଖାରଜ ହୋଇଯାଇଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କର ରାୟକୁ କାଏମ୍  ରଖିଛନ୍ତି ।  ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଉଭୟ ପକ୍ଷ ଚାହିବେ ,ତେବେ ସେମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିପାରିବେ । ଏହା ଜିଲ୍ଲାର ପ୍ରଥମ ଘଟଣା ଯାହା ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ଏପରି ପରିସ୍ଥିତିରେ,ଏହି ମାମଲାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି ପୁଲିସ ଉପସ୍ଥିତିରେ ମହିଳା ଜଣକ ବୃଦ୍ଧ ଦମ୍ପତିଙ୍କ ଘର ମାଡ଼ି ବସିଥିଲେ ।  


ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଚିତ୍ର କଏଦ ହୋଇଛି । ୨୦୨୪ ରେ ବୋହୂ ନାନସି କଶ୍ୟପ ନାମକ ମହିଳା ଶ୍ୱଶୁରଙ୍କ ପୈତୃକ ଘରକୁ ଜୋରଜବରଦସ୍ତ ଦଖଲ କରିଥିଲେ । ପୁଲିସ ସହିତ ମିଶି ଏହି କାମ କରାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ବୋହୂଙ୍କର ତାଙ୍କ ଶ୍ୱଶୁର ଘର ଦଖଲ କରିବାର କୌଣସି ଅଧିକାର ନାହିଁ, ତାଙ୍କୁ ଘର ଖାଲି କରିବାକୁ ପଡ଼ିବ । ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ଏଭଳି ସ୍ଥିତିରେ ମହିଳା ଜଣଙ୍କ ଘରେ ଜୋରଜବରଦସ୍ତ ମାଡ଼ି ବସିବାର ଅଧିକାର ନାହିଁ ।  ସୁପ୍ରିମକୋର୍ଟ ଏନେଇ ସଦର ଥାନାକୁ ସତ୍ୟପାଠ ଦାଖଲ କରିବାକୁ ରାୟ ପ୍ରକାଶ କରିଛନ୍ତି ।