କନକ ବ୍ୟୁରୋ : ଆରଏସଏସର ମହାସଚିବ ଦତ୍ତାତ୍ରେୟ ହୋସବୋଲେ ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ଓ ଧର୍ମନିରପେକ୍ଷତା ଶବ୍ଦ ହଟାଇବାକୁ କହିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଇମରଜେନ୍ସିକୁ ୫୦ ବର୍ଷ ପୂରଣ ଅବସରରେ ସେ ସମ୍ବିଧାନର ଏହି ଦୁଇ ପ୍ରସ୍ତାବନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଆରଏସଏସ ଓ ବିଜେପିକୁ କଟାକ୍ଷ କରିଛନ୍ତି । ଆରଏସଏସ ମହାସଚିବ କହିଛନ୍ତି କି, ଏହି ଦୁଇଶବ୍ଦ ଯଦି ଯୋଡା ଯାଇପାରିଥିଲା, ଏବେ ହଟେଇବାର ଅସୁବିଧା କ'ଣ ?
ଇମେରଜେନ୍ସିକୁ ୫୦ ବର୍ଷ ପୂରଣ ହେବା ପରେ ଆରଏସଏସ୍ ମହାସଚିବ ସମ୍ବିଧାନର ୪୨ ତମ ସଂଶୋଧନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନରେ ସମାଜବାଦ ଓ ଧର୍ମନିରପେକ୍ଷତା ଶବ୍ଦ ନଥିଲା । ୧୯୭୬ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସମ୍ବିଧାନ ସଂଶୋଧନ କରି ଏହି ଦୁଇ ଶବ୍ଦ ଯୋଡିଥିଲେ । ତେଣୁ ଏବେ ଭାରତର ପରିବର୍ତ୍ତିତ ପରିସ୍ଥିତିକୁ ନଜରରେ ରଖି ଏବେ ସମ୍ବିଧାନରୁ ଏହି ଦୁଇ ଶବ୍ଦ ହଟାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ଭାରତୀୟ ସମ୍ବିଧାନର ଗୁରୁତ୍ୱ ସାରା ବିଶ୍ୱରେ ଢେର ଅଧିକ । ୟୁନିଭରସିଟି ଅଫ୍ ଚିକାଗୋ ଏକ ଷ୍ଟଡିରେ କହିଛି କି, ୧୭୮୯ ପରେ ଭିନ୍ନ ଭିନ୍ନ ଦେଶରେ ଲାଗୁ ହୋଇଥିବା ୨୦୦ ରୁ ଅଧିକ ସମ୍ବିଧାନ ଉପରେ ଷ୍ଟଡି କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି କି, ସର୍ବାଧିକ ସମ୍ବିଧାନର ବୟସ ୧୭ ବର୍ଷ ହୋଇଥିବା ବେଳେ ଭାରତୀୟ ସମ୍ବିଧାନର ବୟସ ୭୫ ବର୍ଷ ।
ଭାରତୀୟ ସମ୍ବିଧାନର ୭୫ ବର୍ଷ ଇତିହାସରେ ପାଖାପାଖି ୧୦୬ ଥର ସଂଶୋଧନ କରାଯାଇଛି । ପ୍ରଥମ ସଂଶୋଧନ ୧୯୫୧ ମସିହା ଜୁନ ୧୮ ତାରିଖରେ ହୋଇଥିଲା ଏବଂ ଶେଷଥର ପାଇଁ ୨୦୨୩ ସେପ୍ଟେମ୍ବର ୨୮ ତାରିଖରେ ହୋଇଥିଲା । ଏଥିରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ନିଶ୍ଚିତ କରାଯାଇଥିଲା ।