କନକ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ, ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ହେବ । ଏ ନେଇ ବୋର୍ଡ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ।ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । 

Advertisment

ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ ଆସନ୍ତା ୧୭ ତାରିଖରୁ ବୋର୍ଡ ୱେବ୍‌ସାଇଟ www.bseodisha.ac.inରେ ଉପଲବ୍ଧ ହେବ  । ମାତ୍ର ପରୀକ୍ଷା କେନ୍ଦ୍ରଗୁଡିକ ଅପରିବର୍ତ୍ତିତ ରହିଛି । ସ୍ଥଗିତ ଥିବା ଗତ ଜୁଲାଇ ୧୯ ତାରିଖ ଓଟିଇଟି ନିମନ୍ତେ ନିର୍ଦ୍ଧାରଣ ହୋଇଥିବା ତାଲିକା ଅନୁଯାୟୀ,  ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 

ଜୁଲାଇ ୧୯ରେ ଓଟିଇଟି ପରୀକ୍ଷା ପତ୍ର ଲିକ୍ ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ ଗିରଫ କରିଥିଲା । ନିହାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହାସହ ନିହାରଙ୍କ ଲ୍ୟାପଟ୍ୟାପରୁ ପ୍ରଶ୍ନପତ୍ର ଲିକ ଅଭିଯୋଗରେ କଟକ ବୋର୍ଡ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରଟେରଙ୍କ ସହ ଆଉ କିଛି ଶିକ୍ଷକ, ଶିକ୍ଷକ ନେତା ଓ ଦଲାଲଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ।