କନକ ବ୍ୟୁରୋ: ସ୍ନାନପୂର୍ଣ୍ଣିମା ପରଠାରୁ ଜ୍ବରରେ ପଡିଥିବା ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ସହ ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶମୂଳାରିଷ୍ଟ। ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡ଼ା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ମହୌଷଧି ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଶ୍ରୀଜୀଉ ।
ଅଣସର ପଞ୍ଚମୀ ତିଥିରେ ଫୁଲୁରି ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷୁଅ ଲାଗି ହେବା ପରେ ଆଜି ଦଶମୀ ତିଥିରେ ଚକାବିଜେ ନୀତି । ସ୍ନାନପୂର୍ଣ୍ଣିମାରେ ସ୍ନାନ ପରେ ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜିଉମାନଙ୍କୁ ଦଇତାପତି ଚକା ବିଜେ କରାଇବା ପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତି ସମ୍ପର୍ଣ୍ଣ ହୋଇଛି । ଏକାଦଶୀ ତିଥିରେ ଦଶମୂଳମୋଦକ ସେବନ ପରେ, ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନଅରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବାର ପରମ୍ପରା ରହିଛି ।