କନକ ବ୍ୟୁରୋ : ଯୁଆଡେ ଯିବ ରାସ୍ତା ସାରା ଖାଲଖମା । ସ୍ଥିତି ଏମିତି ହେଲାଣି ଘରୁ ରାସ୍ତାକୁ ବାହାରିବାକୁ ଡର ଲାଗୁଛି । କେଉଁଠି କେତେବେଳେ କିଏ ଖାଲରେ ପଡ଼ିବ, ଦୁର୍ଘଟଣାର ଶିକାର ହେବ ସେ ନେଇ ଭୟ ବଢ଼ୁଛି । ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ସଜାଗ ହୋଇଛନ୍ତି ସରକାର । ତେବେ ମନ୍ତ୍ରୀ ମରାମତିର ସମୀକ୍ଷା କରିବା ପୂର୍ବରୁ ସାମ୍ନାକୁ ଆସିଛି ରୋଚକ ଦୃଶ୍ୟ ।

Advertisment

ସୁନ୍ଦରପଦା ଜଟଣୀରେ ଖାଲଖମାରେ ଭରି ଯାଇଛି ପୂରା ରାସ୍ତା । ମାତ୍ର ଦେଢ଼ କିଲୋମିଟର ବାଟ ଯିବାକୁ ଲାଗୁଛି ଅଧଘଣ୍ଟା ସମୟ । ପ୍ରତିଦିନ କେମିତି ହିନସ୍ତା ହେଉଛନ୍ତି ଲୋକ । ବଡ଼ କଥା ହେଉଛି ୩ବର୍ଷ ତଳେ ଏହି ରାସ୍ତା ପାଇଁ ୩କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କିନ୍ତୁ ଏଯାଏଁ ରାସ୍ତା କାମ ସରିନାହିଁ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ରାସ୍ତା ମରାମତିର ସମୀକ୍ଷା କରିବାକୁ ପହଞ୍ଚି ଯାଇଥିଲେ ପୂର୍ତ୍ତମନ୍ତ୍ରୀ ।

ରାଜ୍ୟର ଅଧିକାଂଶ ରାସ୍ତାର ଅବସ୍ଥା ଖରାପ । ସହରାଞ୍ଚଳ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି । ଏନେଇ ଲଗାତାର ଭାବେ ଖବର ପ୍ରସାରଣ କରିବା ପରେ ସରକାରଙ୍କ ଚେତା ପଶିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ଓ ନଗରଉନ୍ନୟନ ବିଭାଗ, ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସହରାଞ୍ଚଳର ରାସ୍ତା ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ଗର୍ତ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ୪ ସପ୍ତାହ ଭିତରେ ସର୍ଭେ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଗାପୂଜା ପୂର୍ବରୁ ଏସବୁର ସମାଧାନ ପାଇଁ ବିଭାଗ ଚେଷ୍ଟା କରୁଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଗ୍ରାମାଞ୍ଚଳ ରାସ୍ତା କଥା ନକହିବା ଭଲ । ଏବେ ବି ଶହ ଶହ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । କାଦୁଅ ପଚ ପଚ ରାସ୍ତାରେ କଲବଲ ହେଉଛନ୍ତି ହଜାର ହଜାର ଲୋକ ।