କନକ ବ୍ୟୁରୋ: ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡ଼ିବା ଅବସ୍ଥାରେ କୋରାପୁଟ ବସ୍‌ଷ୍ଟାଣ୍ଡର ଉପର ମହଲା କୋଠା । କିଛି ଦିନ ତଳେ ଇଟା ଓ ସିମେଣ୍ଟ ପ୍ଳାଷ୍ଟର ଯାତ୍ରୀ ଓ ବସ ଉପରେ ପଡ଼ିଥିଲା । ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନଥିଲା । ହେଲେ ପୁଣି କିଛି ଅଘଟଣ ଘଟିବା ଭୟରେ ବସ୍‌ଷ୍ଟାଣ୍ଡ୍ ଭିତରକୁ ଯିବା ପାଇଁ ଡରୁଛନ୍ତି ଯାତ୍ରୀ । 

Advertisment

ବ୍ୟବସାୟ କ୍ଷେତ୍ରରେ ଯୋଗାଯୋଗର ମାଧ୍ୟମ ସାଜିଥିବା କୋରାପୁଟ ବସ୍‌ଷ୍ଟାଣ୍ଡ୍ ଏବେ ବିପଦରେ । ପ୍ରତିଦିନ ଶହଶହ ଗାଡ଼ି ବସ୍‌ଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାତାୟାତ କରୁଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ବସ୍‌ଷ୍ଟାଣ୍ଡର ଉପର ମହଲା କୋଠା ଭାଙ୍ଗି ଗଲାଣି । ଛାତରୁ କଂକ୍ରିଟ ଖସି ରଡ ଦେଖାଯାଉଛି । ବେଳେବେଳେ ପ୍ଳାଷ୍ଟର ମଧ୍ୟ ଖସୁଛି । କେଉଁ ମୁହୂର୍ତ୍ତରେ ଯେ ଏହା ଭୁଷୁଡ଼ି ପଡ଼ିବ ତାହା କହି ହେଉନାହିଁ । 

୧୯୯୩ରେ ବିଜୁ ପଟ୍ଟନାୟକଙ୍କ ଅମଳରେ କୋରାପୁଟ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ବର୍ତ୍ତମାନ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଦାୟିତ୍ବ କୋରାପୁଟ ପୌର ପରିଷଦ ହାତରେ। ପୌରାଧ୍ୟକ୍ଷ ବସଷ୍ଟାଣ୍ଡର ସ୍ଥିତି ଅନୁଧ୍ୟାନ କରି ସ୍ଥାୟୀ ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ବସ୍‌ଷ୍ଟାଣ୍ଡର ମରାମତି ପାଇଁ ଦାବି କରାଯାଇଛି।