କନକ ବ୍ୟୁରୋ: ୬୯ ବର୍ଷରେ ପାଦ ଦେଇଛି ବିଶ୍ବର ଦୀର୍ଘତମ ମାଟିବନ୍ଧ ହୀରାକୁଦ। ବୋଝ ବୋହି ବୋହି ବୟସ ବଢିଛି ଆଉ ତା ସହିତ ଆୟୁଷ ବି କମୁଛି। ବୁଢା ହେଉଛି ହୀରାକୁଦ। ଜନ୍ମରୁ ଏବେ ଯାଏଁ ହୀରାକୁଦ ଓଡ଼ିଶାକୁ କଣ ନଦେଇଛି, କିନ୍ତୁ ହୀରାକୁଦ ପାଇଛି କଣ? ତେବେ ବୟସରେ ଯେତେବେଳେ ବାର୍ଦ୍ଧକ୍ୟର ଦାଗ ଲାଗିଛି ସେତେବେଳେ ହୀରାକୁଦକୁ ହତାଦାର ହେବାକୁ ପଡୁଛି। ଓଡ଼ିଶାକୁ ବିପଦମୁକ୍ତ କରିବାକୁ ଦମ୍ଭ ଧରି ଛିଡା ହୋଇଥିବା ହୀରାକୁଦ ଏବେ ନିଜେ ବିପଦସଙ୍କୁଳ ଅବସ୍ଥାରେ...
ବିପଦରେ ହୀରାକୁଦ !
- ପଟୁ ମାଟି ଜମିବା କାରଣରୁ ପୋତି ହେଉଛି ହୀରାକୁଦ
- ଜଳ ନିଷ୍କାସନ ଓ ଜଳ ସଂରକ୍ଷଣରେ ବାଧା ସୃଷ୍ଟି
- ବର୍ଷକୁ ବର୍ଷ କମୁଛି ଜଳଧାରଣ କ୍ଷମତା
ଗତବର୍ଷ ଏହି ସମୟରେ ହୀରାକୁଦରେ ୬୨୭ ଫୁଟ ଜଳ ଥିଲା। କିନ୍ତୁ ଚଳିତବର୍ଷ ଏହା ୬୨୫ ଫୁଟକୁ ଖସିଆସିଲାଣି। ଯାହା ଗ୍ରୀଷ୍ମରେ ସାଂଘାତିକ ଜଳସଙ୍କଟର ସଙ୍କେତ ଦେଉଛି। ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରି ହୀରାକୁଦକୁ ଅସହାୟ କରିପକାଇଛି। କିନ୍ତୁ ଏ ପ୍ରସଙ୍ଗରେ ଗତ ସରକାର ଓ ନୂଆ ସରକାର କୌଣସି ତତ୍ପରତା ନଦେଖାଇବା ହୀରାକୁଦକୁ ବିପଦମୁଖକୁ ଠେଲି ଦେଇଛି।
ହୀରାକୁଦ ଓଡ଼ିଶା ପାଇଁ ବରଦାନ। କିନ୍ତୁ ଏହାର ରକ୍ଷାଣବେକ୍ଷଣ ପ୍ରତି ଦୃଷ୍ଟି ନଦେବା ଏବେ ୮୫ କିମି ପରିବ୍ୟାପ୍ତ ହୀରାକୁଦର ସୁରକ୍ଷାକୁ ନେଇ ମନରେ ସଂଶୟ ସୃଷ୍ଟି କଲାଣି। ପଟୁ ମାଟି ପାଇଁ ୩୦% ବନ୍ଧ ପୋତିହେବାରୁ ହୀରାକୁଦର ଜଳଧାରଣ କ୍ଷମତା କମୁଛି। ଯାହା ଅନେକ ସମୟରେ ହୀରାକୁଦରେ ଜଳସଙ୍କଟ ସୃଷ୍ଟି କରୁଛି ତ ପୁଣି କେତେବେଳେ ଜଳପ୍ରଳୟକୁ ସାମ୍ନା କରିବାରେ ସଫଳ ହେଉନି। ହୀରାକୁଦର ସୁରକ୍ଷା ଅଡିଟକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି। ଏସବୁ ଭିତରେ ହୀରାକୁଦକୁ ନେଇ ଥିବା ଚ୍ୟାଲେଞ୍ଜ ସରକାରଙ୍କ ପାଇଁ ସତର୍କଘଣ୍ଟି।
ହୀରାକୁଦ ଉପରେ ନିର୍ଭର କରୁଥିବା ୧୬ ଜିଲ୍ଲାବାସୀ ବର୍ଷା ଦିନେ ବନ୍ୟା ଓ ଖରାଦିନେ ଜଳସଙ୍କଟର ସାମ୍ନା କରୁଛନ୍ତି। ଏହି ସତକୁ ସରକାର ଯଦି ଏବେଠୁ ଗ୍ରହଣ ନକରିବେ ତେବେ ଭବିଷ୍ୟତରେ ହୀରାକୁଦ କେବଳ ନିଜର ଅସ୍ତିତ୍ବ ହରାଇବନି ବରଂ ବିପଦ ମୁହଁକୁ ଠେଲି ହୋଇଯିବ ଓଡ଼ିଶା।