କନକ ବ୍ୟୁରୋ: ନବରାତ୍ରି ଅବସରରେ ଜମୁଛି ଦାଣ୍ଡିଆ ଓ ଗରବା ନାଚର ଆସର । ଭଳି କି ଭଳି ପୋଷାକ ପିନ୍ଧି ମା’ଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ । ଆଉ ଦାଣ୍ଡିଆ ନାଚ ସହ ବ୍ୟବସାୟର ଆସର ଜମାଇଛନ୍ତି ମାରୱାଡି ସମ୍ପ୍ରଦାୟର ମହିଳା । ଏ ହେଉଛି ମାଲକାନଗିରି ମହେଶ୍ୱରୀ ଭବନର ଚିତ୍ର। ନବରାତ୍ରି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଭିନ୍ନ ଭିନ୍ନ ଥିମ୍ ଅନୁଯାୟୀ ଦାଣ୍ଡିଆ ଓ ଗରବା ନାଚର ଆୟୋଜନ ହେଉଛି । ଥିମ୍ ଅନୁଯାୟୀ ସେହିଠାରେ ହିଁ ଭଳିକି ଭଳି ପୋଷାକ ଓ ସାଜସଜା ସାମଗ୍ରୀ ମିଳୁଛି । ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ମହେଶ୍ୱରୀ ସମାଜର ଯୁବତୀ ମାନେ ଏକ ମେଳାର ଆୟୋଜନ କରିଛନ୍ତି । ବିଶେଷକରି ନବରାତ୍ରିରେ ମହିଳାମାନେ ପରିଧାନ କରୁଥିବା ପଟୋଲା ଶାଢ଼ି, ଚନିଆ ଚୋଲି, ଲେହେଙ୍ଗା, ଶରାରା ଆଦି ବସ୍ତ୍ର ମେଳାରେ ବିକ୍ରି କରୁଛନ୍ତି। ଏହାସହ ମାରୱାଡ଼ି ସମ୍ପ୍ରଦାୟର ମହିଳାମାନେ ହାତ ତିଆରି ଘରକରଣା ସାମଗ୍ରୀ ବିକ୍ରି କରି କିଛି ରୋଜଗାର କରୁଛନ୍ତି  ।

Advertisment

ଏହି ମେଳାରେ ରଙ୍ଗବେରଙ୍ଗର ପାରମ୍ପରିକ ବସ୍ତ୍ର ସହ ପାରମ୍ପରିକ ଅଳଙ୍କାର, ପାର୍ବଣ ଉପହାର, ଚକୋଲେଟ, ହାତ ତିଆରି ମିଠା, କେକ୍ ଆଦି ସ୍ଥାନିତ ହୋଇଛି । ବିଶେଷକରି ମାରୱାଡି ସମ୍ପ୍ରଦାୟର ଲୋକେ ବଡ଼ବଡ଼ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ମହିଳାଙ୍କୁ ବ୍ୟବସାୟ କ୍ଷେତ୍ରରେ ଆକୃଷ୍ଟ କରିବା, ଏହି ଆୟୋଜନର ଲକ୍ଷ୍ୟ । ନାରୀ ଶକ୍ତିର ପ୍ରତୀକ ଦେବୀ ଦୁର୍ଗାଙ୍କ ନବରାତ୍ରି ଅବସରରେ ମହେଶ୍ୱରୀ ସମାଜର ଯୁବତୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ।