କନକ ବ୍ୟୁରୋ : ଆଦିବାସୀଙ୍କ ବିନା ସହମତିରେ ସୁନ୍ଦରଗଡରେ ଖଣି ସଂପ୍ରସାରଣ କରୁଛି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ । ସହମତି ଦେଲେନି ବୋଲି ଜାଲିଆତି କରି ଜମି ହଡପ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଆଦିବାସୀ । ଜିଲ୍ଲପାଳଙ୍କ ଅଫିସ ଘେରାଉ କରିଛନ୍ତି ।

Advertisment

ରାଜଗାଙ୍ଗପୁର ସ୍ଥିତ ଡିସିବିଏଲ ସିମେଣ୍ଟ କାରଖାନା ଲାଞ୍ଜିବେର୍ଣ୍ଣା ସ୍ଥିତ ଚୂନପଥର ଖଣି ସଂପ୍ରସାରଣକୁ ବିରୋଧ । କମ୍ପାନୀ କର୍ତ୍ତୁପକ୍ଷ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇଥିବା ଅଭିଯୋଗରେ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ । ୨୦୨୦ରେ ଗ୍ରାମସଭାକୁ ସର୍ବସମ୍ମତି କ୍ରମେ ରଦ୍ଦ କରି ଦିଆଯାଇଥିଲା । ହେଲେ ସଂପୃକ୍ତ କମ୍ପାନୀ ଜାଲିଆତି ଓ ନକଲି ଦସ୍ତଖତ କରି ଜମି ହଡ଼ପ କରି ନେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଜମି ମାଲିକ ଜାଣି ନାହିଁ ହେଲେ ଜମିର ମାଲିକ ହୋଇଯାଇଛି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ । ଏଭଳି ଗୁରୁତର ଅଭିଯୋଗ ନେଇ ଆଜି କୁତ୍ରା, ଲାଞ୍ଜିବେର୍ଣ୍ଣା, ରାଜଗାଙ୍ଗପୁରର ଆଦିବାସୀ ଜିଲ୍ଲାପାଳ ଅଫିସ ଘେରାଉ କରି ଜମି ଫେରାଇବାକୁ ଦାବି କରିଛନ୍ତି ।

୨୮ ତାରିଖରେ ଲାଞ୍ଜିବେର୍ଣ୍ଣା ମୌଜାର କାରଖାନା କର୍ତ୍ତୃପକ୍ଷ ଖଣି ଖୋଳିବାକୁ ଉଦ୍ୟମ କରୁଥିବାବେଳେ ବିରୋଧ କରିଥିଲେ ଆଦିବାସୀ । ଜମି ଅଧିଗ୍ରହଣ ଜାଲିଆତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ଚାଲିଛି । ତାସତ୍ତ୍ୱେ ପୋଲିସ ଉପସ୍ଥିତିରେ ଜୋରଜବରଦସ୍ତ ଖଣି କରିବା ପ୍ରୟାସକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ହେଲେ ଆଦିବାସୀ ବହୁଳ ଜିଲ୍ଲାରେ ବିନାଗ୍ରାମସଭାରେ ? ପେସା ଆଇନକୁ ନମାନି କିଭଳି ଭାବରେ ଜାଲିଆତି କରୁଛି କମ୍ପାନି ? ଏବଂ ତାହାକୁ ଜିଲ୍ଲା ପ୍ରଶାସନ କିଭଳି ଭାବରେ ସହେଯାଗ କରୁଛି ସେ ନେଇ ଉଠିଛି ପ୍ରଶ୍ନ ।