କନକ ବ୍ୟୁରୋ :  ଦଳିତ ଯୁବକଙ୍କୁ ଥାନରେ ନିର୍ୟାତନା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ତଦନ୍ତକାରୀ ଅଧିକାରୀ ସମେତ ତିନି ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି । ବାଲିଚନ୍ଦ୍ରପୁର ଥାନାର ତଦନ୍ତକାରୀ ଅଧିକାରୀ ଚିନ୍ମୟ ପୃଷ୍ଟି, ଡିସିଓ ଦୁର୍ଗେଶ ନନ୍ଦିନୀ ଦେ, ସେଣ୍ଟ୍ରି ଦେବେନ୍ଦ୍ର ବାନରାଙ୍କୁ ନିଲମ୍ୱିତ କରାଯାଇଛି । ଅନ୍ୟପଟେ ବିଷ ପିଇ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସିତ ହେଉଥିବା ଯୁବକ ରବୀନ୍ଦ୍ର ମଲ୍ଲିକକୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ରକରି ବାଲିଚନ୍ଦ୍ରପୁର ଥାନା ପୁଲିସ ଅଣକା ପଂଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ ନାମକ ଯୁବକକୁ ଗତ ରବିବାର ଥାନାକୁ ଉଠାଇ ଆଣି ପ୍ରବଳ ମାଡ଼ ମାରି ଥିଲେ । ଥାନା ହାଜତରେ ମାଡ଼ ମାରି ଉଲଗ୍ନ ହେବାକୁ ବାଧ୍ୟ କରିବାରୁ ସେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲରେ ପୁଲିସ ଭର୍ତ୍ତି କରିଛି । ହେଲେ ଘଟଣା ସଂପର୍କରେ ତିନି ଦିନ ପରେ ଜାଣିଛନ୍ତି ପରିବାର ଲୋକ । ପରିବାର ଲୋକ ଥାନାକୁ ଆସି ପୁଅକୁ ଦେଖା କରିବାକୁ ଚାହିଁବାରୁ  ପୁଲିସ  ସେମାନଙ୍କୁ କଟକ ମେଡିକାଲକୁ ଡାକି ନେଇଥିଲା । ଥାନା ହାଜତରେ ରବୀନ୍ଦ୍ର ବିଷ ପିଇ ଦେଇଥିବା ପୁଲିସ ପରିବାର ଲୋକଙ୍କ ସୂଚନା ଦେଇଛି । ହେଲେ ପରିବାର ଲୋକ ଥାନା ହାଜତରେ ବିଷ କୁଆଡୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି । ପୁଲିସ  ମାଡ଼ମାରି ରବୀନ୍ଦ୍ରକୁ ଦରମରା କରିଦେଇଥିବା ଅଭିଯୋଗ ଆଣିଛନ୍ତି ।