କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଧରାକୋଟରେ ଦୁଇ ଦଳିତ ବ୍ୟକ୍ତିଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇବା ଘଟଣାରେ ପୁଲିସର ଆକ୍ସନ। ଧରାକୋଟ ଥାନାରେ ଅଭିଯୋଗ ପରେ ୯ ଜଣଙ୍କୁ ଅଟକ ରଖିଛି ପୁଲିସ । ଘଟଣାକୁ ସବୁ ମହଲରେ ନିନ୍ଦା ପରେ ସୋମବାର ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସଦସ୍ୟ ପ୍ରତିବାଦ କରିଥିଲେ । ଏପରିକି ଆକ୍ରମଣ ଶିକାର ହୋଇଥିବା ଦୁଇଜଣଙ୍କ ଘରେ ପହଞ୍ଚିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଓ ଧରାକୋଟ ବିଡିଓ ଏବଂ ତହସିଲଦାର । ଏହାସହ ପୀଡ଼ିତଙ୍କ ପରିବାରକୁ ରେଡ୍ କ୍ରସ୍ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଦୁଇ ଦିନ ତଳେ ଗଞ୍ଜାମ ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା । ବାବୁଲା ନାୟକ ନିଜ ସହଯୋଗୀଙ୍କ ସହ ମିଶି ଜଣେ ଚାଷୀଙ୍କ ଠାରୁ ଗାଈ ବାଛୁରୀ କିଣି ଘରକୁ ନେଉଥିଲେ । ଠିକ୍ ଏହି ସମୟରେ ଖାରିଗୁମା ନିକଟରେ କିଛି ଯୁବକ ଉଭୟଙ୍କୁ ଅଟକାଇବା ସହ ଗୋଚାଲାଣକାରୀ କହି ନିର୍ଦ୍ଧୁମ ମାଡ଼ ମାରିଥିଲେ । ପରେ ଉଭୟଙ୍କୁ ଲଣ୍ଡା କରି ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ନେଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଆକ୍ରମଣ କରିଥିବା ଯୁବକମାନେ ଆଇନକୁ ହାତକୁ ନେଇ ଏଭଳି ବର୍ବରକାଣ୍ଡ ଭିଆଇବା ଉପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । 

Advertisment