କନକ ବ୍ୟୁରୋ: ଗାଁରୁ ଗୋଆ ଯାଉଛି ଦାଦନ ଗାଡ଼ି । ଶ୍ରମିକକୁ ଚାଲାଣ ପାଇଁ ଆସୁଛି ବସ୍ । କିଛି ଟଙ୍କାର ଲୋଭ ଦେଖାଇ କିଭଳି ନିରୀହ ଲୋକଙ୍କୁ ଚାଲାଣ କରାଯାଉଛି। ଯାହାର ଖୁଲାସା କରିଛି କନକ ନ୍ୟୁଜ। ବଡ଼ କଥା ହେଲା ଶ୍ରମ ବିଭାଗ ଓ ପୋଲିସ କରୁଛି କଣ ।

ଦାଦନ ଚାଲାଣ ପାଇଁ ବିଜୁ ଏକ୍ସପ୍ରେସ ୱେରେ ଲାଗିଛି ବସ୍ । ଭିତରେ ବସିଛନ୍ତି ଶ୍ରମିକ, ବାହାରେ ପହରା ଦେଉଛନ୍ତି ଦଲାଲ । ସୁନ୍ଦରଗଡ଼ ଭଷ୍ମା ଥାନା ବଡ଼ବାହାଲରୁ ସାମ୍ନାକୁ ଆସିଛି ଦାଦନ ଯନ୍ତ୍ରଣାର ଚିତ୍ର । ଗୋଆର ମାଛମରା ବୋଟ୍ ମାଲିକଙ୍କ ପାଖକୁ କମ ମୂଲ୍ୟରେ ଚାଲାଣ ହେଉଛନ୍ତି ଶ୍ରମିକ । ଆଉ ଏଥିପାଇଁ ଦଲାଲଙ୍କୁ ମିଳୁଛି ମୋଟା ଅଙ୍କର ଟଙ୍କା। ଶ୍ରମିକ ଚାଲାଣ ପାଇଁ ରାଜ୍ୟ ବାହାରୁ ଆସୁଛି ବସ୍ । ନିରିହ ଓଡ଼ିଆଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରାଯାଉଛି । ଯାହାର ଖୁଲାସା କରିଛି କନକ ନ୍ୟୁଜ୍ । ଗୋଆରେ କିଭଳି ଯନ୍ତ୍ରଣା ମିଳେ ତାର ଦୁଃଖ ବଖାଣିଛନ୍ତି ଶ୍ରମିକ ।

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ପାଇଁ ଏଜେଣ୍ଟଙ୍କ ପାଖରେ ଲାଇସେନ୍ସ ରହିବା ଆବଶ୍ୟକ । କେଉଁ ଶ୍ରମିକ କେଉଁ ଏଜେଣ୍ଟ ଜରିଆରେ କେଉଁଠିକି ଯାଉଛି ତାର ତଥ୍ୟ ଶ୍ରମ ବିଭାଗ ପାଖରେ ରହିବା ଜରୁରୀ । କିନ୍ତୁ ଶ୍ରମ ବିଭାଗର ଅଗୋଚରରେ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ପଠାଯାଉଛି । କନକ ନ୍ୟୁଜ ଟିମ୍ ଆଗରେ ଏହା ସ୍ବୀକାର କରିଛନ୍ତି ଦଲାଲ । ଏନେଇ ଶ୍ରମ ବିଭାଗକୁ ଖବର ଦେବା ପରେ ବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । କେବଳ ସ୍ଥାନୀୟ ପୁଲିସ ପହଁଚି ଦାଦନ ଗାଡ଼ିକୁ ଅଟକ ରଖିଛି । 

ଦାଦନ ଚାଲାଣର ହଟସ୍ପଟ ପାଲଟିଛି ଓଡିଶାର ସୀମାନ୍ତ ଅଞ୍ଚଳ । ନିରହ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । କିନ୍ତୁ ଶ୍ରମ ବିଭାଗ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଓଡ଼ିଆ ଶ୍ରମିକ । ପ୍ରଶ୍ନ ଉଠୁଛି, ଶ୍ରମ ବିଭାଗ କରୁଛି କଣ?